ମାଡିଆସୁଛି ଝଡ଼-ବର୍ଷା… ୫୦ରୁ ୬୦ କିମି ବେଗରେ ବହିବ ପବନ; ତାତିରୁ ମିଳିବ ନିସ୍ତାର

ସତର୍କତା ଜାରି କଲା ପାଣିପାଗ ବିଭାଗ । କମିବ ଦିନର ତାପମାତ୍ରା ।

ଭୁବନେଶ୍ବର: ଆଜି କାଳବୈଶାଖୀ ପ୍ରଭାବରେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୦.୮, ଟିଟିଲାଗଡ଼ରେ ୪୦.୫, ସୁନ୍ଦରଗଡ଼ରେ ୪୦.୧, ସମ୍ବଲପୁରରେ ୩୯.୮, ମାଲକାନଗିରି ଓ ବୌଦ୍ଧରେ ୩୯.୫, ଭବାନୀପାଟଣାରେ ୩୯.୪ ଡିଗ୍ରି ରହିଥିଲା।

ଏହି ସମୟରେ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକଳନ ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ।

ସେହିପରି ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୦ ତାରିଖ ସକାଳଠାରୁ ୨୧ ତାରିଖ ପୂର୍ବାହ୍ନ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖ ପୂର୍ବାହ୍ନରୁ ୨୨ ତାରିଖ ସକାଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ।

ଅନ୍ୟପଟେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବ ପଡ଼ିବାକୁ ଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶାରେ ୫୦ରୁ ୬୦ କିମି ବେଗରେ ପବନ ବହିବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।