ଯାଜପୁର ପାଣିକୋଇଲିରେ ଲୁଟ ପାଇଁ ଆତଙ୍କ: ଗୁଳିକାଣ୍ଡରେ ଜଣେ ମୃତ, ସୁନା ଦୋକାନ କର୍ମଚାରୀଙ୍କୁ ଆକ୍ରମଣ

ପାଣିକୋଇଲି ଥାନା ପାଖରେ ଗୁଳିକାଣ୍ଡ, ସୁନା ଦୋକାନ ଲୁଟ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କୁ ପିଟିଲେ ଲୋକେ

ଯାଜପୁର: ଯାଜପୁର ପାଣିକୋଇଲି ଛକରେ ଦିନ ଦିପହରେ ଘଟିଛି ଛାତିଥରା ଘଟଣା । ଦିନ ଦୁଇ ପ୍ରହରରେ ଛକ ଉପରେ ହୋଇଛି ଫାୟାରିଙ୍ଗ । ଲୁଟ ପାଇଁ ଉଦ୍ୟମ କରି ୨ ଜଣଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସୁନା ଦୋକାନରେ ପଶି ଲୁଟ କରିବା ପାଇଁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ । ଏହି ସମୟରେ ଦୋକାନର ୨ ଜଣ କର୍ମଚାରୀ ବାଧା ଦେବାରୁ ତାଙ୍କ ଉପରକୁ ଦୁର୍ବୃତ୍ତ ଗୁଳି ଚାଳନା କରିଛନ୍ତି । ଫଳରେ ଜଣେ କର୍ମଚାରୀଙ୍କ ପେଟରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଅଣ୍ଟାରେ ଗୁଳି ବାଜିଥିବା ଜାଣିବାକୁ ମିଳିଛି ।

ଧରିଲେ ଲୋକେ: ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଲୁଟ ଉଦ୍ୟମରେ ଗୁଳିମାଡ଼ କରିଛନ୍ତି । ତେବେ ଉଭୟ ଦୁର୍ବୃତ୍ତଙ୍କୁ ଜବତ କରି ନିର୍ଦ୍ଧୁମ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ ।

ସ୍ଥାନୀୟ ଲୋକଙ୍କ ମାଡ଼ରେ ଦୁର୍ବୃତ୍ତ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।