ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦ ଓ ୩୫ଏ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପାରିତ ହେବା ପରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ନେତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଭାରତୀୟ ସମ୍ବିଧାନର ଗଳା ଚିପିବା ପାଇଁ ‘ଇଣ୍ଡିଆ’ ମେଣ୍ଟ ଦୁଃସାହସିକ କାର୍ଯ୍ୟ କରିଛି । ଭାରତୀୟ ସମ୍ବିଧାନକୁ ଉଲ୍ଲଂଘନ କରି ଆଦିବାସୀଙ୍କ ଅଧିକାର, ଦଳିତ ଅଧିକାର ଏବଂ ମହିଳାଙ୍କ ଅଧିକାରଉଲ୍ଲଂଘନ କରିବା ପାଇଁ ଜମ୍ମୁ-କଶ୍ମୀରରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ଯାହା କରିଛି ତାହାକୁ ଭାରତ ବରଦାସ୍ତ କରିବ ନାହିଁ ।
‘ଇଣ୍ଡି’ ଦ୍ୱାରା ପାରିତ ସଂକଳ୍ପ ଅନୁଯାୟୀ ସେ ଜମ୍ମୁ-କଶ୍ମୀରରେ ଭାରତୀୟ ସମ୍ବିଧାନ ବିରୋଧରେ ଏକ ନୂଆ ଯୁଦ୍ଧ ଲଢୁଥିବା ଦେଖିବାକୁ ମିଳିଛି । ସ୍ମୃତି ଇରାନୀ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସକୁ ଭାରତର ସଂସଦ ଏବଂ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରିବାର ଅଧିକାର କିଏ ଦେଇଛି ? ଏହି ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଫେରାଇ ଆଣିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ତେବେ ଗତ ଦୁଇ ଦିନ ହେବ ଏହି ପ୍ରସ୍ତାବକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଏବଂ ୩୫ଏଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ ।