fbpx

ପ୍ରେମିକ ବିବାହ କରି ଘର ସଂସାର କଲେଣି, ଏବେ ବି ପ୍ରେମ ନିଆଁରେ ଜଳୁଛନ୍ତି ପ୍ରେମିକା

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ସଂପୁରଠାରେ ରାସ୍ତା ଉପରେ ଥୁଆ ହୋଇଥିବା ପ୍ରେମିକର ଏକ ବାଇକକୁ ଶୁକ୍ରବାର ରାତିରେ ପ୍ରେମିକା ପେଟ୍ରୋଲ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ତାକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖୁଛିI ସଂପୁର ଗ୍ରାମର ରବୀନ୍ଦ୍ର ହରିଚନ୍ଦନଙ୍କ ପୁଅ ପ୍ରଦୀପ୍ତ ହରିଚନ୍ଦନ ଓ ନିକଟସ୍ଥ କଣ୍ଟାମଳିମ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି କାରଣକୁ ନେଇ ଉଭୟଙ୍କ ମନ ନମିଶିବାରୁ ବାହାଘର ହୋଇପାରି ନଥିଲା। ଯୁବତୀଜଣକ ସେ ସମୟରେ ବେଗୁନିଆ ଥାନାରେ ପ୍ରଦୀପ୍ତଙ୍କ ନାମରେ କେଶ କରିଥିଲେ। ଯାହାକି ବର୍ତ୍ତମାନ ସୁଦ୍ଧା କୋର୍ଟରେ ବିଚାରାଧୀନ ରହିଛି।

ଏହାରି ମଧ୍ୟରେ ପ୍ରଦୀପ୍ତ ଗତ ୬ ବର୍ଷ ତଳେ ଅନ୍ୟଆଡେ ବିବାହ କରି ଏକ ସନ୍ତାନର ବାପା ହୋଇଛନ୍ତି। କିନ୍ତୁ ସମ୍ପୃକ୍ତ ଯୁବତୀଜଣକ ବିବାହ କରିନାହାଁନ୍ତି। ଶୁକ୍ରବାର ରାତି ୧୧ଟାରେ ପ୍ରଦୀପ୍ତ ତାଙ୍କ ବାଇକଟିକୁ ରାସ୍ତା ଉପରେ ରଖ୍ କଥା ହେଉଥିବା ବେଳେ ଯୁବତୀଜଣକ ପେଟ୍ରୋଲ ଆଣି ଗାଡ଼ିରେ ଢାଳି ନିଆଁ ଲଗାଇ ଦେଇଥିଲେ। ଗାଡିଟି ଜଳୁଥିବା ସମୟରେ ଯୁବତୀଜଣକ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ଯୋଗୁଁ ନିଆଁ ଲିଭାଇବା ପାଇଁ ଗାଡ଼ି ପାଖକୁ କେହି ଆସିନଥିଲେ। ଏ ସଂକ୍ରାନ୍ତରେ ପ୍ରଦୀପ୍ତ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।

Get real time updates directly on you device, subscribe now.