fbpx

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କେନ୍ଦ୍ର ଦେଇଛି ୧୩ ହଜାର ୫୧୨ କୋଟିରୁ ଅଧିକ ଟଙ୍କାର ସହାୟତା : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୮ ହଜାର ୩୬୬ ଦଶମିକ ୨୪ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୩୦ କିଲୋମିଟରର କାମ ଚାଲୁ ରହିଛି । ଏ ବାବଦରେ ୩୧ ହଜାର ୪୫୩ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆଜି ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସୂଚନା ଦେଇଛନ୍ତି ।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଘଡ଼ାଇ ଏହା କହିଛନ୍ତି, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ୨୦୧୨-୧୩ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ସର୍ବମୋଟ ୨୧ ହଜାର ୮୨୫ କୋଟି ୯୮ ଲକ୍ଷ ଟଙ୍କା ସହାୟତା ପ୍ରାପ୍ତ ହୋଇଛି । ଏଥିମଧ୍ୟରୁ ୧୩ ହଜାର ୫୧୨ କୋଟି ୮୨ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ମିଳିଛି ।

ଅନ୍ୟପଟେ କରୋନା ସଂକ୍ରମଣ କାଳରେ ବ୍ଲକ ଓ ପଞ୍ଚାୟତସ୍ତରରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବାବଦରେ ରାଜ୍ୟ ସରକାର ମୋଟ ୩୬୭ କୋଟି ୭୧ ଲକ୍ଷ ୯୧ ହଜାର ୭୨୦ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସରଞ୍ଜାମ ଓ ଆସବାବପତ୍ର କିଣା ବାବଦକୁ ମୋଟ୍‍ ୧୫୭ କୋଟି ୧୪ ହଜାର ୨୭୭ ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ତ୍ରୀ କହିଛନ୍ତି, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଚିଠି ମାଧ୍ୟମରେ ଏହିସବୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କିଣାଯାଇଥିବା ଆସବାବପତ୍ର ଗୁଡ଼ିକର ପୁନର୍ବ୍ୟବହାର ନିମନ୍ତେ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.