fbpx

ପିଆଜ ଉତ୍ପାଦନ ହ୍ରାସ ଏବଂ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ମହଜୁଦ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ପିଆଜ ଉତ୍ପାଦନ ହ୍ରାସ ଏବଂ ଖୁଚୁରା ବଜାରେ ପିଆଜର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଆଜ ମହଜୁଦ୍‍ ପରିମାଣ ୩ ଲକ୍ଷ ଟନ୍‍ରୁ ୫ ଲକ୍ଷ ଟନ୍‍କୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ଉପଭୋକ୍ତା ମନ୍ତ୍ରଣାଳୟ ଏନ୍‍ସିସିଏଫ୍‍ ଏବଂ ନାଫେଡ୍‍କୁ ଅତିରିକ୍ତ ୧ ଲକ୍ଷ ଟନ୍‍ ଲେଖାଏଁ ପିଆଜ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି ।

ଦେଶର ହାରାହାରି ମୂଲ୍ୟରୁ ଅଧିକ କିମ୍ବା ଗତମାସ ତୁଳନାରେ ପିଆଜର ଦର ଯଥେଷ୍ଟ ଅଧିକ ରହିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ପିଆଜ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷୁଦ୍ର ଦୋକାନ ଏବଂ ଭାରତୀୟ ଜାତୀୟ ଉପଭୋକ୍ତା ସହକାରୀ ସଂଘ ଲିମିଟେଡ୍‍ ଏନ୍‍.ସି.ସିଏ.ଫ୍‍.ର ଭ୍ରାମ୍ୟମାଣ ଯାନ ମାଧ୍ୟମରେ କିଲୋପିଚ୍ଛା ୨୫ ଟଙ୍କା ଦରରେ ବିକ୍ରି କରାଯିବ । ଏପରିକି ଇ-କମର୍ସ ସଂସ୍ଥା ମାଧ୍ୟମରେ ପିଆଜର ଉପଲବ୍ଧତାକୁ ବଢ଼ାଇବା ଲାଗି ପ୍ରୟାସ ଆରମ୍ଭ ହୋଇଛି ବୋଲି ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଘରୋଇ ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ରହିବ । ସେହିଭଳି ଆସନ୍ତାକାଲିଠାରୁ କେନ୍ଦ୍ର ସରକାର ଉପଭୋକ୍ତାମାନଙ୍କୁ କିଲୋପ୍ରତି ୪୦ ଟଙ୍କା ଦରରେ ଟମାଟୋ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ର ଉପଭୋକ୍ତା ମନ୍ତ୍ରଣାଳୟ ପକ୍ଷରୁ ନାଫେଡ୍‍ ଏବଂ ଏନ୍‍ସିସିଏଫ ଜରିଆରେ ଏହି ଟମାଟୋ ବିକ୍ରି କରାଯିବ ।

Get real time updates directly on you device, subscribe now.