ନୂଆଦିଲ୍ଲୀ: କେଦାରନାଥ ଧାମର କବାଟ ଆଜିଠୁ ବନ୍ଦ ହୋଇଯିବ। ଏଥିପାଇଁ ଭୋର ୪ଟାରୁ ବିଧି-ବିଧାନ ସହ ପୂଜା ହେଉଛି। ସକାଳ ୮ଟା ୩୦ରୁ କବାଟ ବନ୍ଦ କରିବାର ମୁହୂର୍ତ୍ତ ଅଛି। ଏବେଠାରୁ ୬ମାସ ପର୍ଯ୍ୟନ୍ତ କେଦାରନାଥ ଉଖିମଠରେ ଦର୍ଶନ ଦେବେ।
‘ଭୈୟା ଦୁଜ’ ପର୍ବ ଦିନ କବାଟ ବନ୍ଦ କରାଯାଇଥାଏ। ପଞ୍ଚମୁଖୀ ମୂର୍ତ୍ତିକୁ ଚଳ ବିଗ୍ରହ ଡୋଲୀରେ ରଖାଯାଇଥାଏ। ଚଳ ବିଗ୍ରହ ଡୋଲୀ ଉଖିମଠର ଓଃମକାରେଶ୍ୱରରେ ପହଞ୍ଚିବ। ୫ ନଭେମ୍ବରରେ ଓଃମକାରେଶ୍ୱରରେ କେଦାରନାଥ ବିରାଜମାନ ହେବେ।
ଚଳିତ ବର୍ଷ ୧୬ ଲକ୍ଷ ଯାତ୍ରୀ କେଦାରନାଥ ଧାମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ। ଗତ ୬ ଦିନରେ ୧ ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ପହଞ୍ଚିଥିଲେ। ଆଜି ଯମୁନେତ୍ରୀ ଧମର କବାଟ ମଧ୍ୟ ବନ୍ଦ ହେବ।
ସାଢେ ଆଠଟାରେ ସଭା ମଣ୍ଡପ ସହ ମନ୍ଦିରର ମୁଖ୍ୟ ଦ୍ୱାର କବାଟ ବନ୍ଦ କରାଯିବ। ହଜାର ହଜାର ଶ୍ରଦ୍ଧାଳୁ ଏହି ଅବସରରେ କେଦାରନାଥଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି। ମନ୍ଦିର ପରିସରକୁ ୧୦ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି। ଆଜି କେଦାରନାଥର ପଞ୍ଚମୁଖୀ ମୂର୍ତ୍ତିକୁ ବିଗ୍ରହ ଡୋଲୀ ମାଧ୍ୟମରେ ଉଖିମଠକୁ ପଠାଯିବ।