fbpx

ସଂକ୍ରମଣକୁ ରୋକିବାରେ ବିଫଳ ନିର୍ବାଚନ ଆୟୋଗ: ବାରଣ ପରେ ବି ହେଲା ଶୋଭାଯାତ୍ରା, ଅଭିଯୋଗ ଆଣିଲେ ଜନତା

Advertisement

ନୂଆଦିଲ୍ଲୀ, ୦୨ ।୦୫ (ଓଡ଼ିଶା ଭାସ୍କର) : ନିକଟରେ ମାଡ୍ରାସ ହାଇକୋର୍ଟ ଦେଶରେ ଦ୍ରୁତ କୋଭିଡ୍ ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ ବୋଲି ମତ ପ୍ରକାଶ କରିଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ନିର୍ବାଚନୀ ରାଲି ଏବଂ ପ୍ରଚାରକୁ ଅନୁମତି ଦେଇ ସଂକ୍ରମଣକୁ ଆହୁରି ବଢ଼ିବାରେ ସାହାଯ୍ୟ କରିଛନ୍ତି । ଏଥିପାଇଁ ଆଜି ବିଶ୍ୱରେ କୋଭିଡ୍ ସଂକ୍ରମଣ ହାରରେ ଦେଶ ପ୍ରଥମ ରହିଛି । ଆହୁରି ମଧ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଦେଶଷର ୩୦ ପ୍ରତିଶତ କୋଭିଡ୍ ସଂକ୍ରମଣ କେବଳ ରାଜନୈତିକ ପ୍ରଚାର ଏବଂ ରାଲି ଯୋଗୁଁ ହିଁ ହୋଇଛି । ତେବେ ଆଜି ୫ଟି ରାଜ୍ୟର ଭୋଟ ଗଣତୀ ଚାଲିଛି । ଏହି ସମୟରେ ଉକ୍ତ ରାଜ୍ୟ ମାନଙ୍କ ଶୋଭାଯାତ୍ରା ହେଉଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆୟୋଗ ପକ୍ଷରୁ ସବୁ ପ୍ରକାର ଶୋଭାଯାତ୍ରା ଉପରେ ରୋକ ଲଗାଯାଇଥିଲା । ହେଲେ ଏହାକୁ କେହି ବି ମାନି ନାହାନ୍ତି । ଏହି ସମୟରେ କୋଭିଡ୍ ସଂକ୍ରମଣ ପିକ୍ ରେ ରହିଛି । ଏହି ଶୋଭାଯାତ୍ରରା ପରେ ସଂକ୍ରମଣ ଆହୁରି ତୀବ୍ର ରୁପ ନେବ ବୋଲି ଆଶଙ୍କା କରାଯାଉଛି ।

ପ୍ରଚାରରେ କୋଭିଡ୍ ସଂକ୍ରମଣକୁ କେନ୍ଦ୍ର କରି ମାଡ୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ନିର୍ବାଚନ ଆୟୋଗକୁ ଆକ୍ଷେପ କରି କହିଥିଲେ ଯେ, ତୁମର ଅନୁଷ୍ଠାନ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ଏକକ ଭାବରେ ଦାୟୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ଆପଣଙ୍କ ଅଧିକାରୀ ମାନଙ୍କୁ ହତ୍ୟା ଅଭିଯୋଗରେ ବୁକ୍ କରାଯିବା ଉଚିତ୍ । ତେବେ ଏହାପରେ ଆଜି ଜଣେ ସମାଜ ସେବୀ ତଥା ଆକ୍ଟିଭିଷ୍ଟ ଜୟନ୍ତ କୁମାର ଦାସ ନିର୍ବାଚନ ଆୟୋଗ ବିରୋଧରେ ଅଭିଯୋଗ କରିଛନ୍ତି । ସେ ଏନେଇ ଟୁଇଟ୍ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ଓଡିଶାର ମୁଖ୍ୟ ଶାସନ ରାଜ୍ୟରେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଆଉ ୧୬ ମେ ରେ ହେବାକୁ ଥିବା ପିପିଲି ନିର୍ବାଚନକୁ ବାତିଲ କରନ୍ତୁ ନଚେତ୍ ଆଗକୁ ଯାହା ବି ଅସୁବିଧା ହେବ ସେଥିପାଇଁ ଆପଣ ଦାୟୀ ରହିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ପିପିଲିରେ ଯେଉଁ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିଲା ତାହା ନିର୍ବାଚନ ପାଇଁ ହୋଇଥିଲା । ତେବେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଉ ।

ସୁଚନାଯୋଗ୍ୟ, ମୁଖ୍ୟ ବିଚାରପତି କହିଛନ୍ତି ଯେ, ଅନୁଷ୍ଠିତ ହୋଇଥିବା ନିର୍ବାଚନୀ ରାଲିରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୁରତା ମଧ୍ୟ ନଥିଲା । ସେଠାରେ ନିର୍ବାଚନ ଆୟୋଗ କୋଭିଡ୍ ନିୟମ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ । ଖାଲି ସେତିକି ନୁହେଁ, ଆୟୋଗକୁ ପ୍ରଶ୍ନ କରି କହିଥିଲେ ଯେ, ରାଲି ଅନୁଷ୍ଠିତ ହେବା ସମୟରେ ଆପଣ ମାନେ କେଉଁ ଗ୍ରହରେ ଥିଲେ ? ସେ ଆହୁରି ମଧ୍ୟ କଡା ପଦକ୍ଷେପ ନେବାକୁ ଯାଇ କହିଥିଲେ ଯେ, ମେ ୨ ତାରିଖରେ ଭୋଟ ଗଣତି ସମୟରେ କୌଣସି ଶୋଭାଯାତ୍ରା କରାଯିବ ନାହିଁ ଏହା ଉପରେ ରୋକ୍ ଲଗାଯାଇଥିଲା । ଆଉ କୁହାଯାଇଥିଲା ଯେ, ଯଦି ଏହି ନିର୍ଦ୍ଦେଶକୁ ନ ପାଳନ କରାଯାଏ ତେବେ ଭୋଟ ଗଣତୀ ଉପରେ ରୋକ୍ ଲଗାଯିବ । ହେଲେ ଏହାପରେ ବି ଅନେକ ସ୍ଥାନରେ ଶୋଭାଯାତ୍ରା ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଏବେ କଣ ରହିବ ହାଇକୋର୍ଟଙ୍କ ପଦକ୍ଷେପ ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.