ଉତ୍ତରପ୍ରଦେଶ: DM ଅଫିସରେ ପହଞ୍ଚିଲେ ଜଣେ ବ୍ୟକ୍ତି। ସାଙ୍ଗରେ ଥିଲେ ଜଣେ ମହିଳା। ଆଉ ବ୍ୟକ୍ତିଙ୍କ ହାତରେ ରହିଛି ଏକ ବ୍ୟାଗ। ଆପଣ ଭାବୁଥିବେ ବ୍ୟକ୍ତି ଜଣକ କିଛି ଜିନିଷ ନେଇ କୌଣସି କାମରେ ଡିଏମ ଅଫିସ ଯାଇଥିବେ।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବ୍ୟକ୍ତି ଜଣକ ହାତରେ ଧରିଥିବା ବ୍ୟାଗରେ ରହିଛି ଏକ ଶବ। ଆଉ ଶବଟି ହେଉଛି ଜଣେ ନବଜାତ ଶିଶୁର। ଆଉ ନିଜ ନବଜାତ ଶିଶୁର ମଲା ଶବକୁ ବ୍ୟାଗରେ ଧରି DM ଅଫିସରେ ପହଞ୍ଚିଛନ୍ତି ବାପା।
ବ୍ୟାଗରେ ଶବ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚିକିତ୍ସା ଅଭାବରୁ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟିର ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ହସ୍ପିଟାଲ ପରିଚାଳନା ଶିଶୁଟିର ଚିକିତ୍ସା କରିବାକୁ ମନା କରିଦେଇଥିଲା।
ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ବାପା ତାଙ୍କ ନବଜାତ ଶିଶୁର ମୃତଦେହକୁ ଏକ ବ୍ୟାଗରେ ଧରି ଡିଏମ୍ ଅଫିସରେ ପହଞ୍ଚିଥିଲେ।
ସେଠାରେ ସେ କହିଥିଲେ ଯେ ତାଙ୍କ ଶିଶୁକୁ ପୁନର୍ଜୀବିତ କରାଯାଉ ନଚେତ୍ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
କ୍ୟାମେରା ସାମ୍ନାରେ ନିଜର ଯନ୍ତ୍ରଣା ପ୍ରକାଶ କରିବା ସମୟରେ, ଅସହାୟ ପିତାଙ୍କ ଆଖିରୁ ଲୁହ ଝରି ପଡିଲା। ସେ କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ବହୁତ ସଙ୍କଟାପନ୍ନ। ସେ ବାରମ୍ବାର ତାଙ୍କ ପିଲାକୁ ଖୋଜୁଛନ୍ତି, କିନ୍ତୁ ପିଲାଟି ମରି ପଡିଛି। ସେ ତାଙ୍କ ସ୍ତ୍ରୀଙ୍କୁ କ’ଣ ଉତ୍ତର ଦେବେ?
ହସ୍ପିଟାଲ ବିରୋଧରେ ଅଭିଯୋଗ: ବିପିନ ଗୁପ୍ତା ନାମକ ଜଣେ ବ୍ୟକ୍ତି ଗୋଲଡାର ହସ୍ପିଟାଲ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପୀଡିତା କହିଛନ୍ତି ଯେ ସେ ହରିଦ୍ୱାରରୁ ଆସିଛନ୍ତି। ସେ ବାହାରେ କାମ କରନ୍ତି।
ହେଲେ ତାଙ୍କ ପରିବାର ଲୋକ ତାଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି। ତେଣୁ ଫୋନ୍ ପାଇବା ମାତ୍ରେ ସେ ଘର ଲୋକଙ୍କୁ କହିଲେ କି ସ୍ତ୍ରୀ କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ। କାରଣ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ
ପରେ ପରିବାର ଲୋକ ତାଙ୍କ ସ୍ତ୍ରୀକୁ ଗୋଲଡାର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ଡାକ୍ତର କହିଥିଲେ ଯେ ଯଦି ଆପଣ ଟଙ୍କା ଖର୍ଚ୍ଚ କରିପାରିବେ ତେବେ ଏଠାରେ ଚିକିତ୍ସା କରନ୍ତୁ, ନଚେତ୍ ଅନ୍ୟ ସ୍ଥାନକୁ ଯାଆନ୍ତୁ।
ଯେହେତୁ ସ୍ତ୍ରୀ ଜଣକ ଅବସ୍ଥା ବୋହୁତ ଖରାପ ଥିଲା ତେଣୁ ଅନ୍ୟ ସ୍ଥାନକୁ ନେବା ସମ୍ଭବ ନଥିବା। ତେଣୁ ବାଧ୍ୟ ହୋଇ ପରିବାର ଲୋକ ସେଠାରେ ଆଡମିଟ୍ କରିଥିଲେ। ଆଉ ସେହି ହସ୍ପିଟାଲରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା।
ହେଲେ ଯେତେବେଳେ ଟଙ୍କା ସରି ସରି ଆସିଲା ସେତେବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ମନା କରିଦେଲେ। ଚିକିତ୍ସା ଅଭାବରୁ ନବଜାତ ଶିଶୁଟିର ମୃତ୍ୟୁ ହେଲା।
ପୀଡିତାଙ୍କ ବାପା କହିଛନ୍ତି ଯେ ନବଜାତ ଶିଶୁର ଅବସ୍ଥା ଗୁରୁତର ଥିଲା, କିନ୍ତୁ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରିଦେଲା ଏବଂ ନିର୍ଦ୍ଦୋଷ ଶିଶୁଟିର ଜୀବନ ଚାଲିଗଲା।
ସିଏମଓଙ୍କ ବିବୃତ୍ତି: ଲଖିମପୁର ଖେରି ସିଏମଓ ସନ୍ତୋଷ ଗୁପ୍ତା କହିଛନ୍ତି ଯେ ବିପିନ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ଗୋଲଡାର ହସ୍ପିଟାଲର ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ହୋଇଛି।
ଏହି ମାମଲାରେ ତଦନ୍ତ କରାଯାଉଛି। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।