fbpx

ବିଶ୍ୱକପ ପାଇଁ ସରକାର ଦେଉନାହାନ୍ତି ଅନୁମତି: ଯଦି ଭାରତକୁ ନ ଆସେ ପାକିସ୍ତାନ ଟିମ୍, କ’ଣ ହେବ ନିଷ୍ପତ୍ତି?

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇସାରିଛି । ଏବେ କେବଳ ମହାସମରର ବିଗୁଲ ବାଜିବାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ତେବେ ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ପାକିସ୍ତାନୀ ଟିମକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଅନୁମତି ମିଳିପାରିନାହିଁ । ଭାରତରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ସରକାର ଏପର୍ଯ୍ୟନ୍ତ ଚୁପ ରହିଛନ୍ତି । ତେବେ ଖୁବଶୀଘ୍ର ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପର ଷ୍ଟାଡିୟମରେ ସୁରକ୍ଷା ସମ୍ବନ୍ଧୀୟ ତଦାରଖ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ପଠାଇପାରେ ବୋଲି ଜାଣିବାକୁ ମିଳିଛି ।

ବିଶ୍ୱକପ ପାଇଁ ଭାରତ ଗସ୍ତକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ଅନୁମତି ଦେଇ ନାହାନ୍ତି ସରକାର । ତେଣୁ ଖେଳାଳିଙ୍କୁ ସୁରକ୍ଷା ଯାଞ୍ଚ ଏବଂ ଏହାର ସୁନିଶ୍ଚିତ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖପାତ୍ର । ବର୍ତ୍ତମାନ ପ୍ରଶ୍ନ ଉଠିଛି କି ଯଦି ବିଶ୍ୱକପରେ ଭାରତକୁ ପାକିସ୍ତାନ ଆସିବା ପାଇଁ ମନା କରିଦିଏ, ତେବେ ପୁଣି ବଦଳିବ କି ସୂଚୀ? ପାକିସ୍ତାନ ସ୍ଥାନରେ ଖେଳିବ କିଏ? ୧୦ଟି ଦଳ ବଦଳରେ ୯ଟି ଦଳକୁ ନେଇ ଅନୁଷ୍ଠିତ ହେବ କି ବିଶ୍ୱକପ-୨୦୨୩?

ତେବେ ଆସନ୍ତା ଦିନିକିଆ ବିଶ୍ୱକପରେ ପାକିସ୍ତାନ ସାମିଲ ନ ହେଲେ, ବିଶ୍ୱକପ ସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ତେବେ ପାକିସ୍ତାନ ସ୍ଥାନରେ ଅନ୍ୟ ଏକ ଦଳ ସୂଚୀରେ ଭାଗ ନେଇପାରିବ । କ୍ୱାଲିଫାୟାର ରାଉଣ୍ଡରେ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ପାକିସ୍ତାନ ବଦଳରେ ବିଶ୍ୱକପରେ ଉତ୍ତୀର୍ଣ୍ଣ ହୋଇପାରିବ । ଅର୍ଥାତ୍ ପାକିସ୍ତାନକୁ ରିପ୍ଲେସ କରି କ୍ୱାଲିଫାୟାରର ତୃତୀୟ ଦଳ ସମସ୍ତ ମ୍ୟାଚ ଖେଳିବ । ବର୍ତ୍ତମାନ ଜିମ୍ବାୱେରେ ଏହି କ୍ୱାଲିଫାୟାର ପର୍ଯ୍ୟାୟ ଖେଳାଯାଉଛି । ଏହି ରାଉଣ୍ଡରେ ଶ୍ରୀଲଙ୍କା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ, ନେଦରଲଣ୍ଡସ ସ୍କଟଲାଣ୍ଡ ଏବଂ ଓମାନ ଭାଗ ନେଇଛନ୍ତି । ସୁପର ସିକ୍ସରେ ଏମାନେ ପହଞ୍ଚିଥିବା ବେଳେ ଏଥିରୁ ଦୁଇଟି ଦଳ ବିଶ୍ୱକପ ପାଇଁ ସୁଯୋଗ ପାଇବେ । ତେବେ ପାକିସ୍ତାନ ଯଦି କୌଣସି କାରଣରୁ ବିଶ୍ୱକପରୁ ଓହରିଯାଏ, ତେବେ ଏହି ରାଉଣ୍ଡର ତୃତୀୟ ଦଳ ମଧ୍ୟ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ପାଇବ ।

Get real time updates directly on you device, subscribe now.