fbpx

ଟ୍ୱିଟରକୁ ବଡ ଝଟକା ଦେଲେ ହାଇକୋର୍ଟ: ଏବେ ମୋଟା ଅଙ୍କର ଜରିମାନା ଦେବ କମ୍ପାନୀ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଲାଗିଛି ଏକ ଜୋରଦାର ଝଟକା । ହାଇକୋର୍ଟରେ ଏକ ବଡ ମାମଲାରେ ଟ୍ୱିଟର ପରାସ୍ତ ହୋଇଛି । ମାମଲାରେ ପରାଜୟ ହେବା ସହିତ ଟ୍ୱିଟରକୁ ବଡ ଆକାରରେ ଜରିମାନା ଲାଗୁ କରିଛନ୍ତି ହାଇକୋର୍ଟ । ଏହାସହିତ ହାଇକୋର୍ଟ ଟ୍ୱିଟରକୁ ଦେଇଛନ୍ତି ଏକ କଡା ନିର୍ଦ୍ଦେଶ । ଟ୍ୱିଟରରୁ କିଛି ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ହଟାଇବା ପାଇଁ କମ୍ପାନୀ ଦେଇଥିବା ନିର୍ଦ୍ଦେଶକୁ ଶକ୍ତ ବିରୋଧ କରିଥିଲା ଟ୍ୱିଟର ।

କେନ୍ଦ୍ର ସରକାରଙ୍କର ଏକ ନିଷ୍ପତ୍ତିକୁ ନେଇ ଟ୍ୱିଟର ସଂସ୍ଥା କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହାକୁ ଆଜି ହାଇକୋର୍ଟ ଟ୍ୱିଟରର ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହ ଟ୍ୱିଟର ଉପରେ ନଗଦ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ । ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟ୍ୱିଟର । ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା । କେନ୍ଦ୍ର ସରକାର ୨୦୨୧ ଫେବୃଆରୀରୁ ୨୦୨୨ ଫେବୃଆରୀ ମଧ୍ୟରେ କରାଯାଇଥିବା କିଛି ଟ୍ୱିଟ ଓ ଆକାଉଣ୍ଟକୁ ବ୍ଲକ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କେନ୍ଦ୍ର ସରକାର ଉପଯୁକ୍ତ କାରଣ କହି ନଥିବାରୁ ବାକ୍ ସ୍ୱାଧୀନତା କଥା କହି କମ୍ପାନୀ ୩୯ଟି ଆକାଉଣ୍ଟ ସପକ୍ଷରେ ଯୁକ୍ତି କରିବା ସହ କୋର୍ଟରେ କେନ୍ଦ୍ରର ବ୍ଲକିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା ।

ତେବେ ୨୦୨୨ରେ ହୋଇଥିବା ଶୁଣାଣି ବେଳେ ଟ୍ୱିଟର ହାଇକୋର୍ଟଙ୍କୁ କହିଥିଲା ଯେ, ଯଦି କେନ୍ଦ୍ର ସରକାର କୌଣସି ଆକାଉଣ୍ଟକୁ ବ୍ଲକ କରିବାକୁ କହୁଛନ୍ତି, ତା’ହେଲେ ଏହା ପଛର କାରଣ ମଧ୍ୟ କହିବାକୁ ପଡ଼ିବ । ଏହା ସହ ଆଇଟି ଆକ୍ଟ ୨୦୦୦ର ଧାରା ୬୯ଏ ଅଧୀନରେ ଜାରି କରାଯାଉଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାର ପ୍ରାବଧାନ ରହିବା ଦରକାର ବୋଲି କମ୍ପାନୀ ଯୁକ୍ତି କରିଥିଲା ।

ଟ୍ୱିଟରର ପୂର୍ବତନ ସିଇଓ ତଥା ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଅଭିଯୋଗ କରିଥିଲେ ଯେ ୨୦୨୧ ଚାଷୀ ଆନ୍ଦୋଳନ ବେଳେ ଭାରତ ସରକାର କିଛି ନିର୍ଦ୍ଦିଷ୍ଟ ଟ୍ୱିଟକୁ ହଟାଇବାକୁ କମ୍ପାନୀ ଉପରେ ଚାପ ପକାଇଥିଲେ । ଏଥିସହ କମ୍ପାନୀ କଥା ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ସରକାର ଧମକ ଦେଇଥିବା ଡୋର୍ସି ଅଭିଯୋଗ କରିଥିଲେ । ଏହାକୁ ଭାରତ ସରକାର ମିଛ ବୋଲି କହିଥିଲେ । ଆଜି କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଟ୍ୱିଟ କରି ସବୁ ମିଛ ଧରା ପଡ଼ିଛି ବୋଲି କହିଛନ୍ତି । ଏଥିସହ ସେ ଡୋର୍ସିଙ୍କୁ ପରୋକ୍ଷରେ କଟାକ୍ଷ ମଧ୍ୟ କରିଛନ୍ତି । ଟ୍ୱିଟରକୁ ପୂରା ପ୍ରସଙ୍ଗରେ ନୋଟିସ କରାଯାଇଥିଲେ ମଧ୍ୟ କମ୍ପାନୀ କୌଣସି ପ୍ରକାରର ସହଯୋଗ କରି ନଥିଲା ବୋଲି କୋର୍ଟ ଶୁଣାଣି ବେଳେ କହିଥିବା ରାଜୀବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.