ଆମ୍ବୁଲାନ୍ସ ଦେବା ପାଇଁ ମନା କରିଦେଲା ହସ୍ପିଟାଲ, ଶେଷରେ ଠେଲା ଗାଡ଼ିରେ ଶବ ନେଲେ ପରିବାର ଲୋକେ

ପାଟନା: ବିହାର ସ୍ଥିତ କଟିହାର ସଦର ହସ୍ପିଟାଲର ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଦେଖାଦେଇଛି । ଏହି ହସ୍ପିଟାଲ ହେଉଛି ଜିଲ୍ଲାର ଏକମାତ୍ର ବଡ଼ ଡାକ୍ତରଖାନା ଯାହାକି ଆଧୁନିକ ସଂସାଧନରେ ନିର୍ମିତ ହୋଇଛି । କିନ୍ତୁ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଲୋକଙ୍କୁ ସେବା ଯୋଗାଇବାରେ କେଉଁଠି ନା କେଉଁଠି ତୃଟି ଦେଖାଯାଉଛି । ଏନେଇ ସାଧାରଣ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କଟିହାର ସଦର ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାରୁ ପ୍ରକାଶ କଟିହାର ନୂଆ ଟୋଲ ଫୁଲୱାଡ଼ିବାସୀ ଶହଦୀପ ରାୟ । ସେ ଜଣ୍ଡିସରେ ଆକ୍ରାନ୍ତ ଥିବା ଯୋଗୁଁ ତାଙ୍କୁ ପରିବାର ଲୋକେ ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପରିବାର ସଦସ୍ୟ ଶବକୁ ଘରକୁ ନେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ପାଇଁ କହିଥିଲେ । କିନ୍ତୁ ହସ୍ପିଟାଲ ପରିସରରେ ଯଥେଷ୍ଟ ଆମ୍ବୁଲାନ୍ସ ଥାଇ ମଧ୍ୟ ଆମ୍ବୁଲାନ୍ସ ଖରାପ ଅଛି ବୋଲି କହି ଦେବାକୁ ମନା କରିଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ ପରିବାର ସଦସ୍ୟ ଶବକୁ ଘରକୁ ନେବା ପାଇଁ ଏକ ଠେଲା ଯୋଗାଡ଼ କରିଥିଲେ । ବର୍ତ୍ତମାନ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି କି ସରକାର ଏତେ ଟଙ୍କା ଖର୍ଚ୍ଚ କରି ହସ୍ପିଟାଲ ନିର୍ମାଣ କରୁଛନ୍ତି କାହା ପାଇଁ ? ଲୋକଙ୍କୁ ସେବା ଯୋଗାଇବାରେ ହସ୍ପିଟାଲ ବିଫଳ ହେଲେ ଦାୟୀ କିଏ ? ଏଭଳି ହସ୍ପିଟାଲର ଅବ୍ୟବସ୍ଥାର ଚିତ୍ର ଅନେକ କିଛି କହୁଛି ତଥାପି ପ୍ରଶାସନ ଚୁପ୍ ବସିଛି ।