fbpx

ବଦଳିଯିବ ମାଟ୍ରିକ ପରୀକ୍ଷାର ଢାଞ୍ଚା! ଲାଗୁ ହୋଇପାରେ ପୁରୁଣା ଫର୍ମାଟ

ଭୁବନେଶ୍ୱର: ପୁଣିଥରେ ବଦଳି ଯାଇପାରେ ମାଟ୍ରିକ ପିଲାଙ୍କ ପରୀକ୍ଷାର ଢାଞ୍ଚା । ଦଶମ ଶ୍ରେଣୀ ପରୀକ୍ଷା ପୁଣିଥରେ ପୁରୁଣା ଢାଞ୍ଚାରେ ହୋଇପାରେ ହୋଇପାରେ ବୋଲି କୁହାଯାଇଛି । ଏଣିକି ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷାର ଚିନ୍ତା । ଅର୍ଥାତ୍ ଦଶମ ଶ୍ରେଣୀରେ ପିଲାମାନଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଏବଂ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବନି । ମାଟ୍ରିକରେ କେବଳ ପୂର୍ବ ଭଳି ଗୋଟିଏ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏ ନେଇ କଟକ ବୋର୍ଡ କାର୍ଯ୍ୟାଳୟରେ ଗଣ ଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କରୋନା ମହାମାରୀ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା । କୋଭିଡ ସଂକ୍ରମଣ ପାଇଁ ୨୦୨୦ରେ ଶ୍ରେଣୀଗୃହରେ ପାଠପଢା ଉପରେ ରୋକ ଲଗାଇଥିଲେ ସରକାର । ଯାହା ଫଳରେ ପିଲାମାନେ ପରୀକ୍ଷା ନ ଦେଇ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ୨୦୨୧-୨୨ରେ ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ ହ୍ରାସ କରିଥିଲା ବୋର୍ଡ । ଏହାସହିତ ମାଟ୍ରିକ ପରୀକ୍ଷା ପାସ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ଟି ଫର୍ମେଟିଭ ଆସେସମେଣ୍ଟ ଏବଂ ୨ଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ତେବେ ବର୍ତ୍ତମାନ ପୁଣିଥରେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବା ନେଇ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇ ସାରିଛନ୍ତି । ଏ ନେଇ ଖୁବଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.