(Video) ସାପ ପାଇଁ ଅଟକିଗଲା ପାସେଞ୍ଜର ଟ୍ରେନ: ଦେଢ ଘଣ୍ଟା ପର୍ଯ୍ୟନ୍ତ ଆଗକୁ ଗଡି ପାରିଲାନି ରେଳ

କୋରାପୁଟ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ମାସେ ପୂରି ଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ମନ ଭିତରେ ଏକ ଭୟ ବସା ବାନ୍ଧି ରହିଛି । ଅଧିକାଂଶ ଲୋକ ଏବେ ଟ୍ରେନରେ ଯାତାୟତ କରିବାକୁ ଭୟ କରୁଛନ୍ତି । ତେବେ ପୁଣି ଟ୍ରେନକୁ ନେଇ ଆଉ ଏକ ଅଜବ କାଣ୍ଡ ଦେଖିବାକୁ ମିଳିଛି । ଗୋଟିଏ ସାପ ପାଇଁ ପାସେଞ୍ଜର ଟ୍ରେନ ଅଟକି ଯାଇଥିବା ଦେଖାଯାଇଛି । ଫଳରେ ଏକ ବିଶାଳ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏହି ଟ୍ରେନ । ଏ ନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ବିଶାଖାପାଟନା-କିରଣ୍ଡୁଲ ପାସେଞ୍ଜର ଟ୍ରେନକୁ ଅପେକ୍ଷା କରି ରହିଥିଲା ବାହାନଗା ରେଳ ଦୁର୍ଘଟଣା ପରି ଆଉ ଏକ ଦୁର୍ଘଟଣା । କିନ୍ତୁ ଗୋଟିଏ ସାପ ପାଇଁ ଅଳ୍ପକେ ବର୍ତ୍ତିଯାଇଛି ଏହି ପ୍ୟାସେଞ୍ଜର ଟ୍ରେନ୍ ଆଉ ଭିତରେ ଥିବା ଶହଶହ ଯାତ୍ରୀ । କୋରାପୁଟ ଜିଲ୍ଲା ପାଲିବା ଷ୍ଟେସନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିରଣ୍ଡୁଲ ପାସେଞ୍ଜର ଟ୍ରେନ ବିଶାଖାପାଟଣାରୁ କିରଣ୍ଡୁଲ ଆସୁଥିବା ବେଳେ ପାଲିବା ଷ୍ଟେସନ ନିକଟରେ ଟ୍ରେନ୍ ଟ୍ରାକରେ ଗୋଟିଏ ସାପ ଚାଲିଆସିଥିଲା । ତେଣୁ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ରୋକିବା ନିକଟସ୍ଥ ରେଳ ଷ୍ଟେସନ ଓ ମୁଖ୍ୟାଳୟକୁ ସୂଚନା ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳକୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଯାଇଥିଲା । ସେଠାରେ ସମସ୍ତ ଘଟଣା ଦେଖି ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କାରଣ ଟ୍ରେନର ପାନଟେଂଟଗ୍ରାଫରେ ଏକ ସାପ ଗୁଡ଼ାଇ ହୋଇ ରହିଥିଲା । ଯାହା ଫଳରେ ଟ୍ରେନକୁ ବିଦ୍ୟୁତ୍ ଯୋଗାଉଥିବା ତାର ଠାରୁ ବିଛିନ୍ନ ହୋଇଯାଇଛି । ଏହାପରେ ତୁରନ୍ତ ସାପର ମୃତଦେହକୁ ସେଠାରୁ କାଢି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । ଦେଢ ଘଣ୍ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଚାଲିବା ପରେ ଦିନ ୩ ଟା ୧୫ ବେଳକୁ ସ୍ୱାଭାବିକ ଭାବେ ଘଟଣାସ୍ଥଳରୁ ଯାତ୍ରା ଆରମ୍ଭ କରିଥିଲା ପାସେଞ୍ଜର ଟ୍ରେନ । ତେବେ ବିଦ୍ୟୁତ୍ ତାରରୁ ପାନଟେଂଟଗ୍ରାଫ ବିଛିନ୍ନ ହେବା ଘଟଣାକୁ ଯାତ୍ରୀମାନେ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଯଦି ବିଦ୍ୟୁତ୍ ତାର ଛିଣ୍ଡି ଯାଇଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇନଥାନ୍ତା ।