୩ ଦିନ ବର୍ଷାରେ ଭିଜିବ ଓଡିଶା: ଖୁବଶୀଘ୍ର ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ହୋଇପାରେ ବୃଦ୍ଧି

ନୂଆଦିଲ୍ଲୀ: ତାପମାତ୍ରା ବଦଳିବା ସହ ଦେଶର ବିଭିନ୍ନ ରାଜ୍ୟରେ ଗରମର ପ୍ରଭାବ ଅନୁଭୂତ ହେଉଛି । ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ହିଟୱେଭ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ବର୍ଷା କମିବା ପରେ ତାତିର ପରିମାଣ ବଢିବାରେ ଲାଗିଛି । ଏହା ଭିତରେ ପାଣିପାଗ ବିଭାଗ ତରଫରୁ ଚେତାବନୀ ଜାରି କରାଯାଇଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ବୃଦ୍ଧି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ତାପମାତ୍ରା ୨-୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ମହାରାଷ୍ଟ୍ରରେ ୩ ଦିନ ପର୍ଯ୍ୟନ୍ତ ହାଲକାରୁ ମଧ୍ୟମ ବର୍ଷା ଏବଂ ଝଡ ତୋଫାନ ହେବାର ଆଙ୍କା କରାଯାଉଛି । ଏହାସହିତ ଏପ୍ରିଲ ୭ ତାରିଖରେ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଝଡ ତୋଫାନ ସହ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିପାରେ । ସେହିପରି କେରଳ ଏବଂ ତାମିଲନାଡୁରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୂର୍ବ ଭାରତର ଓଡିଶାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ହାଲକା ବର୍ଷା ହେବା ସହ ପବନର ବେଗରେ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗ କହିଛି ଯେ, ଓଡିଶା ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନାର କିଛି ଅଞ୍ଚଳରେ ତାପମାତ୍ରା ସର୍ବାଧିକ ୩୮-୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି । ନର୍ଥୱେଷ୍ଟ ଇଣ୍ଡିଆ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ହାରାହାରି ତାପମାତ୍ରା ୨-୩ ଡିଗ୍ରୀ ତାପମାତ୍ରା କମ୍ ରେକର୍ଡ କରାଯାଇଛି । କିନ୍ତୁ ଆଗାମୀ ଦିନରେ ପଶ୍ଚିମ ଭାରତ, ମଧ୍ୟ ଏବଂ ପୂର୍ବ ଭାରତର ରାଜ୍ୟଗୁଡିକରେ ତାପମାତ୍ରା ବୃଦ୍ଧି ପାଇପାରେ । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶର କୌଣସି ରାଜ୍ୟକୁ ହିଟୱେଭ ଚେତାବନି ଦିଆଯାଇ ନାହିଁ ।