ନୂଆଦିଲ୍ଲୀ: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଦେଶରେ ପ୍ରତ୍ୟେକ ଧର୍ମକୁ ଯଥେଷ୍ଟ ସମ୍ମାନ ଏବଂ ଅଧିକାର ପ୍ରଦାନ କରାଯାଇଛି । ଏଥିପାଇଁ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରାଯିବା ସହ ଭାରତୀୟ ସଂସ୍କୃତିକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ ଭାରତୀୟ ସମ୍ବିଧାନରୁ ଏହି ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବା ପାଇଁ ଦାବି କରାଯାଇଛି । ତେବେ ଏ ନେଇ ଆସନ୍ତା ନଭେମ୍ବର ମାସରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ପ୍ରଥମେ ଯାଚିକା ଉପରେ ପ୍ରଶ୍ନ ଉଠାଇ ଅଦାଲତ କହିଥିଲେ ଯେ ଏହି ଶବ୍ଦ ସମ୍ବିଧାନର ମୂଳ ଭାବନା ମୁତାବିକ ରଖାଯାଇଛି । କିନ୍ତୁ ପରେ କୋର୍ଟ ନଭେମ୍ବର ୧୮ ତାରିଖରେ ଏହାର ଶୁଣାଣି କରିବେ ବୋଲି କହିଛନ୍ତି ।
ସୁପ୍ରିମକୋର୍ଟ ଦାଖଲ ହୋଇଥିବା ୩ଟି ଯାଚିକାରେ କୁହାଯାଇଛି ଯେ, ୧୯୭୬ ମସିହାରେ ୪୨ତମ ସମ୍ବିଧାନ ସଂଶୋଧନ ଜରିଆରେ ପ୍ରସ୍ତାବନାରେ ଏହି ଶବ୍ଦ ସାମିଲ କରାଯାଇଛି । ସେହି ସମୟରେ ଇମରଜେନ୍ସି ଜାରି ହୋଇଥିଲା ଏବଂ ବିପକ୍ଷ ଦଳର ନେତା ଜେଲରେ ରହିଥିଲେ । କୌଣସି ଚର୍ଚ୍ଚା ବିନା ରାଜନୈତିକ କାରଣ ଯୋଗୁଁ ଏହି ଶବ୍ଦ ପ୍ରସ୍ତାବନାରେ ସାମିଲ କରାଯାଇଥିଲା । ଯାଚିକାକର୍ତ୍ତା ବଳରାମ ସିଂହଙ୍କ ଓକିଲ ବିଷ୍ଣୁ ଜୈନ ଏବଂ ଯାଚିକାକର୍ତ୍ତା ଅଶ୍ୱିନୀ ଉପାଧ୍ୟାୟ ଏହା ମଧ୍ୟ କହିଛନ୍ତି ଯେ, ସମ୍ବିଧାନ ସଭା ଅନେକ ଚର୍ଚ୍ଚା ପରେ ଧର୍ମନିରପେକ୍ଷ ସମ୍ବିଧାନର ଏକ ଶବ୍ଦ ରହିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଏହା ଉପରେ ୨ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠର ଅଧ୍ୟକ୍ଷତା କରୁଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା ।
ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ଭାରତରେ ଧର୍ମନିରପେକ୍ଷତା ଫ୍ରାନ୍ସରେ ପ୍ରଚଳିତ ଅବଧାରଣାରୁ ଭିନ୍ନ । ସମ୍ବିଧାନ ସଭାର ଚର୍ଚ୍ଚା ହେଉଥିବା ବେଳେ ତାହା ଏକ ବିଦେଶୀ ବିଚାର ସମ୍ପର୍କରେ ରହିଥିଲା । ଭାରତରେ ଧର୍ମନିରପେକ୍ଷତା ଭିନ୍ନ ରୂପରେ ରହିଛି । ସୁପ୍ରିମକୋର୍ଟ ମଧ୍ୟ ବିଭିନ୍ନ ନିଷ୍ପତ୍ତିରେ ଧର୍ମନିରପେକ୍ଷତାକୁ ସମ୍ବିଧାନର ଅଭିନ୍ନ ଅଙ୍ଗ ବୋଲି କହିସାରିଛନ୍ତି । ଏହା ଉପରେ ତୃତୀୟ ଯାଚିକାକର୍ତ୍ତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ, କୋର୍ଟ ମାମଲାକୁ ବିସ୍ତାର ଭାବରେ ଶୁଣିବା ଉଚିତ । କୋର୍ଟ ଏହା ମଧ୍ୟ ଦେଖିବା ଜରୁରୀ ଯେ, ପ୍ରସ୍ତାବନାକୁ ୧୯୪୯ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭା ସ୍ୱୀକାର କରିଥିଲା । କିନ୍ତୁ ୧୯୭୬ରେ ଏହାକୁ ପରିବର୍ତ୍ତନ କରାଯାଇଛି ।
ଶୁଣାଣି ସମୟରେ ଏହା ମଧ୍ୟ କୁହାଯାଇଛି ଯେ ‘ସମାଜବାଦ’ ଏକ ପ୍ରକାର ରାଜନୈତିକ ଚିନ୍ତାଧାରା । ପ୍ରତ୍ୟେକ ଦଳର ନେତା ସର୍ବସାଧାରଣ ପ୍ରତିନିଧୀ ହେବା ପରେ ସମ୍ବିଧାନ ଉପରେ ଶପଥ କରନ୍ତି। ପ୍ରତ୍ୟେକ ଚିନ୍ତାଧାରାର ଲୋକଙ୍କୁ ସମାଜବାଦୀ ହେବାକୁ ଶପଥ କରିବା ଭୁଲ ଅଟେ। ଏହା ଉପରେ ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ, ‘ସମାଜବାଦ’କୁ ଏକ ରାଜନୈତିକ ଚିନ୍ତାଧାରା ଭାବରେ ଦେଖାଯିବା ଉଚିତ ନୁହେଁ । ‘ସମାଜବାଦ’ ଶବ୍ଦ ଏହା ବୁଝାଇବା ଉଚିତ ଯେ, ଭାରତୀୟ ସମ୍ବିଧାନ ସମାଜର ପ୍ରତ୍ୟେକ ବିଭାଗକୁ ସମାନ ଅଧିକାର ଦେଇଥାଏ ।