ବର୍ତ୍ତମାନ ସମୟରେ ଶହେ ଟଙ୍କା ମୂଲ୍ୟରେ ଏକ କିଲେ ଟମାଟୋ ବି ମିଳୁନି । ସାଧାରଣ ହୋଟେଲରେ ଗୋଟିଏ ମିଲ୍ ପାଇଁ ମଧ୍ୟ ୧୫୦-୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏ ସମୟରେ ଦଶ ଟଙ୍କା କି ଏକ ଟଙ୍କାର ମୂଲ୍ୟ କିଛି ନାହିଁ କହିଲେ ଚଳେ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ, ୧ ପଇସାରେ ଆପଣ ୯ଟି ଦେଶ ବୁଲିପାରିବେ… ଏ କଥା ଶୁଣିଲେ ଯେ କେହି ବି ପାଗଳ ଆଖ୍ୟା ଦେଇ ପାରନ୍ତି । ୧ ପଇସା ଦୀର୍ଘ ର୍ବେରୁ ଦେଶରେ ଅଚଳ ହୋଇ ପଡ଼ିଥିବା ବେଳେ ଏଥିରେ ୯ଟି ଦେଶ ବୁଲିବା ସମ୍ଭବ ନୁହେଁ । କିନ୍ତୁ ଏ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ଯୁବକ ।
ବ୍ରିଟେନର କେର ରାଡେନ ନାମକ ଜଣେ ଯୁବକ ହଠାତ୍ ସାରା ୟୁରୋପ ବୁଲିବା ପାଇଁ ଇଚ୍ଛା କରିଥିଲେ । କିନ୍ତୁ ପାଖରେ ଏକ ଟଙ୍କା ବି ନଥିଲା । ତେବେ ନିଜ ଇଚ୍ଛାଶକ୍ତି ଏବଂ ଦୃଢ ମନୋବଳରେ ସେ ଏହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି । ପକେଟରେ ମାତ୍ର ଏକ ପଇସା ଧରି ସେ ୟୁରୋପ ବୁଲିବା ପାଇଁ ବାହାରି ପଡ଼ିଥିଲେ । ଏହି ୧ ପଇସାରେ ହିଁ ରାଡେନ ୱେମାଉଥରୁ ତୁର୍କୀ ପର୍ଯ୍ୟନ୍ତ ମୋଟ ୯ଟି ଦେଶ ପରିଭ୍ରମଣ କରି ଆସିଛନ୍ତି । ତେବେ ଏହି ଯାତ୍ରା ସମୟରେ ରାଡେନ ଫ୍ଲାଇଟରେ ଯିବା-ଆସିବା କରିବା ବଦଳରେ ଚାଲି ଚାଲି ଯାତ୍ରା କରିଥିଲେ । ତେଣୁ ତାଙ୍କର ଟ୍ରାନ୍ସପୋର୍ଟିଙ୍ଗ ଖର୍ଚ୍ଚ ପଡ଼ିନଥିଲା । ସେହିପରି କେଉଁଠି ରହିବା ପାଇଁ ସେ ହୋଟେଲ ମଧ୍ୟ ବୁକ୍ କରି ନାହାନ୍ତି, ଏଥିରୁ ତାଙ୍କର ରହଣୀର ଖର୍ଚ୍ଚ ବି ବଞ୍ଚି ଯାଇଥିଲା । ଏହି ଯାତ୍ରା ସମୟରେ ଅନେକ ସୁନ୍ଦର ସୁନ୍ଦର ସହରରେ ପହଞ୍ଚିବା ସହ ସେଠାକାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଡେନ ।
ସୂଚନା ଅନୁସାରେ, ରାଡେନ କିଛି ପୋଷାକ, ଏକ ଝୁଲା, ଟର୍ଚ୍ଚ ଏବଂ ପେନ୍ଚାଇଫ ଧରି ଘରୁ ବାହାରି ଯାଇଥିଲେ । ୱେମାଉଥରୁ ନିଜ ଯାତ୍ରା ଆରମ୍ଭ କରିଥିବା ରାଡେନ ଏହି ଏକ ପଇସାକୁ ପାଉଣ୍ଡରେ କନଭର୍ଟ କରି ଦେଇଥିଲେ । ଏହାଦ୍ୱାରା ସେ ନିଜର ପିଇବା ପାଣି ବ୍ୟବସ୍ଥା କରିଥିଲେ । ଏହାପରେ ବିଭିନ୍ନ କୀଟପତଙ୍ଗ ଶିକାର କରି ଚୀନର ରେଷ୍ଟୁରାଣ୍ଟରେ ବିକ୍ରି କରି ସେ ରୋଜଗାର ମଧ୍ୟ ଆରମ୍ଭ କରିଦେଲେ । ଏହାପରେ ଜର୍ମାନୀ ଅଭିମୁଖେ ବାହାରିଥିଲେ ରାଡେନ । ସେଠାରେ ମାଛ ଧରିବା କାମ କରିବାରୁ ତାଙ୍କୁ ମାଗଣା ଖାଦ୍ୟ ମିଳି ଯାଉଥିଲା । ତେବେ ପଇସା ସରି ଯିବାରୁ ସେ ନିଜ ଡଙ୍ଗା ମଧ୍ୟ ବିକ୍ରି କରି ଦେଇଛନ୍ତି । ସାଧାରଣ ଲୋକଙ୍କ ପାଖରୁ କିଛି ଅର୍ଥ ସାହାଯ୍ୟ ନେଇ ସେ ନିଜ ଯାତ୍ରାରେ ଆଗେଇ ଚାଲିଲେ । ଏଭଳି ଭାବରେ ସେ ନିଜ ଯାତ୍ରା ଶେଷ କରିଛନ୍ତି । ତେବେ ଘରୁ ବହାରିବା ବେଳେ ମାତ୍ର ଏକ ପଇସା ଥିବା ବେଳେ ସେ ଏହାକୁ ଧରି ୯ଟି ଦେଶ ବୁଲି ଆସିଛନ୍ତି ।