BGT Trophy-2024; ନାହାନ୍ତି ଶାମୀ, ଋତୁରାଜ କି ଇଶାନ୍‌… ଟିମ ଇଣ୍ଡିଆର ଚୟନକୁ ନେଇ ଉଠୁଛି ପ୍ରଶ୍ନ, କାହିଁକି ମିଳିଲାନି ସୁଯୋଗ?

ଓଡ଼ିଶା ଭାସ୍କର: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଚୟନ ହୋଇଯାଇଛି । ନଭେମ୍ବର ୨୨ ତାରିଖରୁ ଏହି ସିରିଜ ଖେଳାଯିବାକୁ ସୂଚୀ ରହିଛି । ଏଥିପାଇଁ ଟିମ ଇଣ୍ଡିଆ ୧୮ ଜଣିଆ ଏକ ଟିମ୍ ଘୋଷଣା କରିଛି ଭାରତର ଚୟନ କମିଟି । ଦଳରେ ରୋହିତ ଅଧିନାୟକ ଥିବା ବେଳେ ୩ ଜଣ ନୂଆ ଖେଳାଳିଙ୍କୁ ସୁଯେୋଗ ଦିଆଯାଇଛି । ଅଲରାଉଣ୍ଡର ନୀତିଶ ରେଡ୍ଡୀ, ଅଭିମନ୍ୟୁ ଈଶ୍ୱରନ୍ ଏବଂ ହର୍ଷିତ ରାଣାଙ୍କୁ ଦଳରେ ପ୍ରଥମ ଥର ସାମିଲ କରାଯାଇଛି । କିନ୍ତୁ ଦଳରୁ ପୁଣିଥରେ ବାଦ୍ ପଡ଼ିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହାସହିତ ୱିକେଟ କିପର ଇଶାନ୍ କିଶାନ୍ ଏବଂ ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଏହି ସିରିଜ ପାଇଁ ଦଳରେ ସାମିଲ କରାଯାଇନାହିଁ । ସେହିପରି ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏବଂ କୁଳଦୀପ ଯାଦବ ଦଳରୁ ବାଦ୍ ପଡ଼ିଛନ୍ତି । ଯାହାକୁ ନେଇ ନିରାଶ ଜାହିର କରିଛନ୍ତି କ୍ରିକେଟପ୍ରେମୀ ।

ମହମ୍ମଦ ଶାମୀ: ଆହତ ସମସ୍ୟାରୁ ବାହାରିବା ପରେ ମହମ୍ମଦ ଶାମୀଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜରେ ଶାମୀଙ୍କୁ ଭାରତୀୟ ଦଳରେ ସାମିଲ କରାଯିବା ନେଇ ଆଲୋଚନା ହେଉଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଭାରତ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ରହିଥିବା ବେଳେ ଏଥିରେ ଶାମୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେଣୁ ଦଳରେ ତାଙ୍କୁ ସାମିଲ କରିବାର ସମ୍ଭାବନା ଅଧିକ ରହିଥିବା ବେଳେ ସେ ସିୀିଜରୁ ବାଦ୍ ପଡ଼ିଛନ୍ତି । ତେବେ ଆହତ ସମସ୍ୟା ପରେ ଘରୋଇ କ୍ରିକେଟ ଖେଳି ନଥିବାରୁ ଶାମୀଙ୍କୁ ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ସାମିଲ କରାଯାଇ ନଥିବା କୁହାଯାଇଛି । ତେଣୁ ତାଙ୍କ ସ୍ଥାନରେ ଆକାଶଦୀପଙ୍କୁ ସାମିଲ କରାଯାଇଛି ।

ଋତୁରାଜ ଗାଏକ୍ୱାଡ: ଘରୋଇ କ୍ରିକେଟରେ ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ । ଏହାପରେ ମଧ୍ୟ ବର୍ଡର ଭାଗାସ୍କର ଟ୍ରଫିରେ ଋତୁରାଜଙ୍କୁ ଦଳରେ ସାମିଲ କରାଯାଇନାହିଁ । ଚଳିତ ରଣଜୀ ଟ୍ରଫିରେ ଋତୁରାଜ ଏକ ଶତକ ସହିତ ୩ଟି ଇନିଂସରେ ମୋଟ ୨୨୩ ରନ୍ ସଂଗ୍ରହ କରିଛନ୍ତି । ଏହାପରେ ମଧ୍ୟ ଋତୁରାଜଙ୍କୁ ଅଣଦେଖା କରିଛି ଟିମ ଇଣ୍ଡିଆ । ତେଣୁ ଋତୁରାଜଙ୍କୁ ବାଦ୍ ଦେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଆଲୋଚନା ହେଉଛି । ଟିମ ଇଣ୍ଡିଆର ଚୟନ କମିଟିକୁ ନେଇ ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଉଠିଛି । ବିସିସିଆଇର ଏଭଳି ନିଷ୍ପତ୍ତିରେ ଲଗାତାର ନିରାଶ ଜାହିର କରୁଛନ୍ତି ପ୍ୟାନ୍ସ ।

ଅକ୍ସର ପଟେଲ: ସ୍ପିନ୍ ଅଲରାଉଣ୍ଡର ଭାରତୀୟ ଦଳ ପାଇଁ ଲଗାତାର ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଡର ଭାଗାସ୍କର ଟ୍ରଫିରୁ ତାଙ୍କୁ ଦଳ ବାଦ୍ ଦେଇଛି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଏହି ସିରିଜ ପାଇଁ ସୁଯୋଗ ଦେଇଛି ଟିମ ଇଣ୍ଡିଆ । ୧୪ଟି ମ୍ୟାଚରୁ ୫୫ଟି ୱିକେଟ ଏବଂ ୬୪୬ ରନ୍ କରି ଅଲରାଉଣ୍ଡ ପ୍ରଦର୍ଶନ କରିବା ପରେ ମଧ୍ୟ ତାଙ୍କ ଉପରେ ଭରସା କରିନାହିଁ ବୋର୍ଡ । ଅଷ୍ଟ୍ରେଲିଆ ପିଚରେ ଅକ୍ସର ପଟେଲ ଜଣେ ଭଲ ବିକଳ୍ପ ହୋଇପାରିବେ ବୋଲି କୁହାଯାଉଥିଲେ ମଧ୍ୟ ଦଳ ତାଙ୍କୁ ଟିମରେ ସାମିଲ କରିନାହିଁ ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଅଭିମନ୍ୟୁ ଈଶ୍ୱରନ୍‌, ଶୁଭମନ ଗିଲ୍‌, ବିରାଟ କୋହଲି, କେ.ଏଲ ରାହୁଲ, ଋଷଭ ପନ୍ତ, ସରଫରାଜ ଖାନ୍‌, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶଦୀପ୍‌, ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣା, ନୀତିଶ ରେଡ୍ଡୀ, ୱାଶିଂଟନ୍ ସୁନ୍ଦର ।