ନ ଥିଲା Family Emergency… କାହିଁକି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଆସିଲେ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ କେଳିବାକୁ ଯାଉଛି । ଟେଷ୍ଟ ସିରିଜ ପାଇଁ ଡିସେମ୍ବର ୧୫ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲା ଭାରତୀୟ ଦଳ । କିନ୍ତୁ ମାତ୍ର ୩-୪ ଦିନର ଅଭ୍ୟାସ ପରେ ବିରାଟ କୋହଲି ସେଠାରୁ ଫେରି ଆସିଥିଲେ । ପାରିବାରିକ ସମସ୍ୟାକୁ କାରଣ ଦର୍ଶାଇ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ କୋହଲି । କିନ୍ତୁ ଏବେ ମିଳିଥିବା ରିପୋର୍ଟ ଅନୁସାରେ, କୋହଲି ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସି ନଥିଲେ । ତେବେ କୋହଲି କୁଆଡେ ଯାଇଥିଲେ? ଏ ନେଇ ଏବେ ବଡ଼ ଖୁଲାସା ହୋଇଛି ।

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାମିଲି ଇମରଜେନ୍ସି କାରଣ ଏକଦମ୍ ମିଛ ଥିଲା । କାରଣ ଦକ୍ଷିଣ ଆଫ୍ରିକାରୁ ସେ ଭାରତ ନ ଆସି ଲଣ୍ଡନ ଯାଇଥିଲେ । ତେବେ ଏହି ଲଣ୍ଡନ ଗସ୍ତ ତାଙ୍କର ପୂର୍ବରୁ ଯୋଜନା ହୋଇ ରହିଥିବା ମଧ୍ୟ ଦାବି ହୋଇଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଲଣ୍ଡନକୁ ଗସ୍ତ କରିବା ନେଇ ପୂର୍ବରୁ ଯୋଜନା କରିଥିଲେ ବିରାଟ କୋହଲି । ତେବେ ଏ ନେଇ ସେ ଟିମ ମ୍ୟାନେଜମେଣ୍ଟ ଏବଂ ବୋର୍ଡ ସହ ମଧ୍ୟ ଆଲୋଚନା କରିଥିଲେ । ତେଣୁ ଟେଷ୍ଟ ସିରିଜ ପୂର୍ବରୁ ସେ ଲଣ୍ଡନ ଯାଇ ପୁଣିଥରେ ଟିମ ଇଣ୍ଡିଆ ସହ ସାମିଲ ହୋଇଛନ୍ତି ।

ତେବେ ବିରାଟ କୋହଲି ଅଭ୍ୟାସ ସମୟରେ ହିଁ ଅନୁପସ୍ଥିତ ରହିବା ସହ ଦକ୍ଷିଣ ଆଫ୍ରିକାରୁ ଫେରି ଯାଇଛନ୍ତି । ତେଣୁ କୋହଲିଙ୍କ ଏହି ନିଷ୍ପତ୍ତି ତାଙ୍କ ବ୍ୟାଟିଂ ଉପରେ କିଛି ପ୍ରଭାବ ପକାଇବ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏହାର ଉତ୍ତର ଡିସେମ୍ବର ୨୬ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହିଁ ଜଣାପଡ଼ିବ ବୋଲି କୁହାଯାଇଛି । ଏହାପରେ ମଧ୍ୟ କୋହଲିଙ୍କ ଏହି ପଦକ୍ଷେପ ଉପରେ ରହିଛି ଆଉ ଏକ ପ୍ରଶ୍ନ । ଯଦି ବିରାଟଙ୍କର ଲଣ୍ଡନ ଗସ୍ତ ପୂର୍ବ ଯୋଜନା ରହିଥିଲା, ତେବେ ଟେଷ୍ଟ ସିରିଜ ପୂର୍ବ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ କୋହଲି? ଏହାର ଉତ୍ତର ବିସିସିଆଇ ହିଁ ଦେଇପାରିବ ବୋଲି କହିଛନ୍ତି ସମ୍ପୃକ୍ତ ଅଧିକାରୀ ।

ତେବେ ବର୍ତ୍ତମାନ ଲଣ୍ଡନରୁ କୋହଲି ଫେରି ସେଞ୍ଚୁରିଅନରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। କୋହଲି ରବିବାର ଏବଂ ସୋମବାର ପ୍ରଶିକ୍ଷଣରେ ଭାଗ ନେବେ ବୋଲି ଆଶା କରାଯାଉଛି। ଲଣ୍ଡନ ଯିବା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାରେ ୩-୪ ଦିନ ଦଳ ସହିତ ଜୋରଦାର ଅଭ୍ୟାସ କରିଥିଲେ। ବର୍ତ୍ତମାନ ଯାହା ହେଉନା କାହିଁକି ଟିମ୍ ଇଣ୍ଡିଆ ଆଶା କରିବ ଯେ କୋହଲିଙ୍କ ପ୍ରସ୍ତୁତି ଭଲ ଏବଂ ବ୍ୟକ୍ତିଗତ କାର୍ୟ୍ୟ ସମାପ୍ତ କରିବା ପରେ ସେ ଏକ ନୂତନ ମାନସିକତା ସହିତ ସିରିଜରେ ପ୍ରବେଶ କରିବେ।