fbpx

ଆଦର୍ଶ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିଥାଏ ଏହି ୫ଟି ଗୁଣ

Advertisement

ଓଡ଼ିଶା ଭାସ୍କର: ବିବାହ କେବଳ ଦୁଇ ବ୍ୟକ୍ତିଙ୍କ ନୁହେଁ ବରଂ ଦୁଇ ପରିବାରର ମିଳନ । ବିବାହ ପୂର୍ବରୁ ସମସ୍ତେ ଜୀବନସାଥିକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । କିଛି ସତ ହୁଏ ତ ଆଉ କିଛି ଅଧୁରା ରହିଯାଏ । କିନ୍ତୁ ବିବାହ ପରେ ପାର୍ଟନରଙ୍କ ପ୍ରତି ସମର୍ପଣ ଭାବନା ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ପରସ୍ପରର ଅଭ୍ୟାସ, ସ୍ୱଭାବ, ସୁଖ ଏବଂ ଦୁଃଖ ସହ ପରିଚିତ ହେବାକୁ ପଡ଼ିଥାଏ । ଉଭୟଙ୍କ ଦମ୍ପତ୍ତିଙ୍କ ଦାୟିତ୍ୱ ବୃଦ୍ଧି ପାଇଥାଏ । ବୈବାହିକ ଜୀବନକୁ ଦୀର୍ଘସ୍ଥାୟୀ କରିବା ପାଇଁ ପରସ୍ପର ପ୍ରତି ବିଶ୍ୱାସ ଏବଂ ଧୈର୍ଯ୍ୟ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଜଣେ ପରଫେକ୍ଟ ପାର୍ଟନରଙ୍କ ମଧ୍ୟରେ କେଉଁ ସବୁ ଗୁଣ ସମ୍ପର୍କକୁ ମଜବୁତ କରିଥାଏ ।

୧. ପରସ୍ପର ପ୍ରତି ସମ୍ମାନ: ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ରହିବା ଜରୁରୀ । ପାର୍ଟନର ଆପଣଙ୍କ ଠାରୁ କମ୍ ପଢ଼ିଥିଲେ କିମ୍ବା କମ୍ ରୋଜଗାର କରୁଥିଲେ ବି ସେମାନଙ୍କ ସମ୍ମାନ କରନ୍ତୁ । ଏହା ସେମାନଙ୍କ ପାଇଁ ବଡ଼ ଉପହାର ସଦୃଶ । ସେମାନଙ୍କୁ ସବୁବେଳେ ଅପମାନିତ କରିବା କିମ୍ବା ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ଏହା ଦ୍ୱାରା ସେମାନଙ୍କ ଅତ୍ମବିଶ୍ୱାସ ହ୍ରାସ ହୋଇଥାଏ ।

୨. ପାର୍ଟନରଙ୍କ ପ୍ରତି ଭଲପାଇବା: ଯେତେ ବ୍ୟସ୍ତ ରହିଲେ ମଧ୍ୟ ପାର୍ଟନରଙ୍କ ସହ ଗୁଣାତ୍ମକ ସମୟ ବିତାନ୍ତୁ । ଏହା ଆପଣଙ୍କ ସମ୍ପର୍କକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ । ପାର୍ଟନରଙ୍କ ବାହ୍ୟ ସୌନ୍ଦର୍ଯ୍ୟ ବ୍ୟତୀତ ସେମାନଙ୍କ ଆନ୍ତରିକ ସୁନ୍ଦରତାର ପ୍ରଶଂସା କରନ୍ତୁ । ପାର୍ଟନରଙ୍କୁ ବିନା ସ୍ୱାର୍ଥରେ ଭଲପାଇବା ଉତ୍ତମ ସମ୍ପର୍କର ଲକ୍ଷର ଅଟେ । ପାର୍ଟନରଙ୍କ ପ୍ରତି ଭଲପାଇବାକୁ ମନରେ ନରଖି ଉପହାର କିମ୍ବା ଅନ୍ୟ ମାଧ୍ୟମରେ ବ୍ୟକ୍ତ କରନ୍ତୁ ।

୩. ପରସ୍ପର ଇଚ୍ଛାକୁ ଗୁରୁତ୍ୱ: ବୈବାହିକ ଜୀବନରେ ପରସ୍ପରର ପସନ୍ଦ ଅପସନ୍ଦକୁ ଗୁରୁତ୍ୱ ଦେବା ଆବଶ୍ୟକ ଅଟେ । ସବୁବେଳେ ଡୋମିନେଟିଂ ସ୍ୱଭାବ ଭଲ ନୁହେଁ । ଜୋର ଜବରଦସ୍ତି ଦ୍ୱାରା କୌଣସି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ । ତେଣୁ ପାର୍ଟନରଙ୍କୁ ପ୍ରତ୍ୟେକ କଥା ପାଇଁ ମନା କରିବା ବ୍ୟତୀତ ସେମାନଙ୍କ ଇଚ୍ଛାକୁ ସମ୍ମାନ ଦିଅନ୍ତୁ । ସେମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ତା ପରେ ନିଷ୍ପତ୍ତି ନିଅନ୍ତୁ ।

୪. ଛୋଟ ଛୋଟ ଭୁଲକୁ ଅଣଦେଖା କରିବା: ତେଳ ଲୁଣର ସଂସାରରେ ପାର୍ଟନର ଛୋଟ ବଡ଼ ଭୁଲ କରିଥାନ୍ତି । ପ୍ରତ୍ୟେକ ଭୁଲକୁ ଧରି ବସିଲେ ଝଗଡ଼ା ଅହୁରି ବଢ଼ିଥାଏ । ପାର୍ଟନରଙ୍କୁ ସବୁ କଥା ପାଇଁ ଦୋଷ ଦେବା ଅପେକ୍ଷା ସେହି ଭୁଲକୁ କିପରି ସୁଧାରି ପାରିବେ ସେ ଦିଗରେ ଚେଷ୍ଟା କରନ୍ତୁ । ନିଜ ଭୁଲ ଥିଲେ ସ୍ୱିକାର କରନ୍ତୁ ।

୫. ପରସ୍ପରକୁ ସାହାଯ୍ୟ କରିବା: ଦାମ୍ପତ୍ୟ ଜୀବନରେ ପରସ୍ପର ପାଇଁ ମନରେ ସ୍ନେହ, ଆଦର, ସମ୍ମାନ ଏବଂ ସହଯୋଗର ଭାବନା ରଖନ୍ତୁ । ସମ୍ପର୍କର ଗାଡ଼ି ଚଲାଇବା ପାଇଁ ଜଣଙ୍କ ଉପରେ କାର୍ଯ୍ୟ ଭାର ଲଦି ଦିଅନ୍ତୁ ନାହିଁ । ପରସ୍ପର ମିଳିମିଶି ଘର ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ସମୟ ସଞ୍ଚୟ ହେବା ସହ ଘରର ସୁଖ, ସମୃଦ୍ଧି ଓ ଶାନ୍ତି ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.