ଭାରତରେ ତିଆରି ହେବ ଇଲେକ୍ଟ୍ରିକ୍ କାର, ଏହିସବୁ କମ୍ପାନୀ କରିବେ ନିବେଶ !

ମର୍ସିଡିଜ୍, ଭୋକ୍ସୱାଗନ୍ ସମେତ ଏହି ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ଇଲେକ୍ଟ୍ରିକ୍ କାର ତିଆରି କରିବେ!

ନୂଆଦିଲ୍ଲୀ: ଭାରତରେ ତିଆରି ହେବ ଇଲେକ୍ଟ୍ରିକ୍ କାର୍।  ଏନେଇ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ କହିଛନ୍ତି ଯେ ମର୍ସିଡିଜ୍ ବେଞ୍ଜ, ସ୍କୋଡା-ଭକ୍ସୱାଗେନ୍, ହୁଣ୍ଡାଇ ଏବଂ କିଆ ସମେତ ଅନେକ ବିଶ୍ୱସ୍ତରୀୟ ଅଟୋମୋବାଇଲ୍ କମ୍ପାନୀ ଭାରତରେ ଇଲେକ୍ଟ୍ରିକ୍ କାର ନିର୍ମାଣ କରିବାକୁ ଆଗ୍ରହୀ ଅଛନ୍ତି।

ଭାରତରେ ଇଲେକ୍ଟ୍ରିକ୍ କାର୍ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏବଂ ଶିଳ୍ପସଂସ୍ଥା ମଧ୍ୟରେ ଆଲୋଚନା ସମୟରେ ଏହି କମ୍ପାନୀଗୁଡ଼ିକ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି। ମନ୍ତ୍ରୀ ଏହି ଯୋଜନା ବିଷୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି।

ଯଦିଓ ଏହି ଯୋଜନା ଗତ ମାର୍ଚ୍ଚ ୧୫ ତାରିଖରେ ହୋଇଥିବା ସୂଚନା ଆସିଥିଲା, ହେଲେ ଏହାର ନିର୍ଦ୍ଦେଶାବଳୀ ସୋମବାର ପ୍ରକାଶିତ ହୋଇଛି।

କେବେ ଆବେଦନ କରିବେ କମ୍ପାନୀ:  ଅଧିକାରୀମାନେ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଆବେଦନ କରିବାର ସୁବିଧା ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ ଏବଂ ପ୍ରକୃତରେ କେଉଁ କମ୍ପାନୀଗୁଡ଼ିକ ଆବେଦନ କରିବେ ତାହା କେବଳ ଦେଖିବାକୁ ବାକି ଅଛି।

କୁମାରସ୍ୱାମୀ କହିଛନ୍ତି, “ମର୍ସିଡିଜ୍ ବେଞ୍ଜ, ଭୋକ୍ସୱାଗନ୍, ସ୍କୋଡା, ହୁଣ୍ଡାଇ, କିଆ, ଏହି ସମସ୍ତ କମ୍ପାନୀ ଇଲେକ୍ଟ୍ରିକ୍ କାର୍ ନିର୍ମାଣରେ ଆଗ୍ରହ ଦେଖାଇସାରିଛନ୍ତି।” ଏହି ଯୋଜନା ଅଧୀନରେ ଆବେଦନ ମଞ୍ଜୁର ହେବାର ତାରିଖରୁ ୫ ବର୍ଷ ପାଇଁ ୧୫ ପ୍ରତିଶତ ହ୍ରାସିତ କଷ୍ଟମ୍ ଡ୍ୟୁଟିରେ ବିଶ୍ୱସ୍ତରୀୟ ନିର୍ମାତାମାନଙ୍କୁ ସର୍ବନିମ୍ନ ୩୫,୦୦୦ ଆମେରିକୀୟ ଡଲାର CIF  ମୂଲ୍ୟ ସହିତ e-4W ର ସମ୍ପୂର୍ଣ୍ଣ ନିର୍ମିତ ୟୁନିଟ୍ (CBUs) ଆମଦାନୀ କରିବାକୁ ଅନୁମତି ଦିଆଯିବ।

ସର୍ବନିମ୍ନ ନିବେଶ:  ସ୍କିମର ବ୍ୟବସ୍ଥା ଅନୁଯାୟୀ ଅନୁମୋଦିତ ଆବେଦନକାରୀଙ୍କୁ ସର୍ବନିମ୍ନ ୪୧୫୦ କୋଟି ଟଙ୍କା ନିବେଶ କରିବାକୁ ପଡିବ। ଆବେଦନ ଆମନ୍ତ୍ରଣ ନୋଟିସ ମାଧ୍ୟମରେ ଆବେଦନ ଗ୍ରହଣ କରିବାର ଅବଧି ୧୨୦ ଦିନ କିମ୍ୱା ତାଠାରୁ ଅଧିକ ହେବ।

ଟେସଲା ସମ୍ପର୍କରେ ଅପଡେଟ୍: ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ସୋମବାର କହିଛନ୍ତି ଯେ, ଇଲେକ୍ଟ୍ରି କାର୍ ନିର୍ମାତା ଟେସଲା ଭାରତରେ ବୈଦ୍ୟୁତିକ କାର୍ ତିଆରି କରିବାକୁ ଆଗ୍ରହୀ ନୁହେଁ, କିନ୍ତୁ କମ୍ପାନୀ ଦେଶରେ ଏହାର ଶୋ’ରୁମ୍ ସ୍ଥାପନ କରିବାକୁ ଆଗ୍ରହୀ ଅଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେସଲା ବିଷୟରେ କହିଥିଲେ ଯେ ଯଦି କମ୍ପାନୀ ଭାରତୀୟ ଶୁଳ୍କ ଏଡାଇବା ପାଇଁ ସେଠାରେ ଏକ ପ୍ଲାଣ୍ଟ ସ୍ଥାପନ କରେ, ତେବେ ଏହା ଆମେରିକା ପାଇଁ “ଅନ୍ୟାୟ” ହେବ।