fbpx

ବୟସ ବଢିଲେ ବି ଦେଖାଯିବେ ଯୁବା, ଡାଏଟ୍ ରେ କେଉଁ କେଉଁ ଖାଦ୍ୟପଦାର୍ଥ ସାମିଲ କଲେ ଏହା ସମ୍ଭବ ହେବ ଜାଣିନିଅନ୍ତୁ

ନୂଆଦିଲ୍ଲୀ: କିଏ ନ ଚାହେଁ ସର୍ବଦା ଯୁବା ରହିବାକୁ । ଏଥିପାଇଁ କିଏ କେତେ ଉପାୟ ଆପଣାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ଆପଣ ସର୍ବଦା ଯୁବା ଦେଖାଯିବେ । ବୟସ ବଢିବା ସହିତ ଆମ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ବିଶେଷକରି ବୟସ ୪୦ ଛୁଇଁଲେ ଆମ ଶରୀରର ରୋଗ ସହ ଲଢିବା କ୍ଷମତା ହ୍ରାସ ପାଏ । ହଜମ ଶକ୍ତି ଦୂର୍ବଳ ହୋଇଯାଏ । ଏହା ସହିତ ମୋଟାପା, କ୍ଲାନ୍ତି, ଦୂର୍ବଳ ଲାଗିବା, ତ୍ୱଚାରେ ଭାଙ୍ଗ ଓ ଦାଗ ପରି ସମସ୍ୟା ଦେଖାଯାଇଥାଏ ।

କିନ୍ତୁ ଏପରି ସମସ୍ୟାସବୁକୁୁ ଆପଣ ଚାହିଁଲେ ସହଜରେ ଦୂରେଇ ଦେଇପାରିବେ । ଏଥିପାଇଁ ଆପଣଙ୍କୁ କେବଳ ପୋଷକତତ୍ତ୍ୱରେ ଭରପୁର ଖାଦ୍ୟ ଏବଂ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣାଇବାକୁ ପଡିବ । ଏପରି କରିବା ଦ୍ୱାରା ଆପଣ ବାର୍ଦ୍ଧକ୍ୟ ସମୟରେ ବି ଫିଟ୍ ରହିପାରିବେ । ବୟସ ବଢିବା ସହିତ ଆମ ମାଂସପେଶୀ ବି ଦୂର୍ବଳ ହୋଇଯାଏ । ଏପରି ସ୍ଥିତିରେ ଆପଣଙ୍କୁ ମାଂସପେଶୀ ମଜଭୁତ ରଖିବା ଲାଗି ଡାଏଟ୍ରେ ପ୍ରୋଟିନଯୁକ୍ତ ଖାଦ୍ୟ ଅଧିକ ଗ୍ରହଣ କରିବାକୁ ହେବ । ଏହି ପ୍ରୋଟିନ୍ ଲାଗି ଆପଣ ଅଣ୍ଡା, ଚିକେନ୍, ଟୋଫୁ, ସୋୟାବିନ୍, ଡାଲି, କଖାରୁ ମଞ୍ଜି ଓ କ୍ଷୀର ଜାତ ଦ୍ରବ୍ୟ ଅଧିକ ମାତ୍ରାରେ ଖାଇବା ଉଚିତ ।

ବୟସ ୩୦ ଟପିପା ପରେ କଦଳୀ, ପାଳଙ୍ଗ ଶାଗ, କୋବି, ବୋକଲି, ଗାଜର, ଲାଉ, କଖାରୁ ଆଦି ପନିପରିବା ଅଧିକ ମାତ୍ରାରେ ଖାଆନ୍ତୁ । ଏହିସବୁ ପନିପରିବାରେ ଆଇରନ୍, କ୍ୟାଲସିୟମ, ଭିଟାମିନ୍ସ ସହିତ ବହୁ ପୋଷକତ୍ତ୍ୱ ରହିଛି ଯାହା ଆପଣଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ ଓ ଆପଣଙ୍କ ରୋଗ ପ୍ରତିରୋଧ ଶକ୍ତି ମଜଭୁତ କରିଥାଏ ।

ବୟସ ବଢିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୂର୍ବଳ ହେବାରେ ଲାଗିଥାଏ । ଫଳରେ ଶରୀରରେ ବିଭିନ୍ନ ପ୍ରକାର ସଂକ୍ରମଣ ସମସ୍ୟା ଦେଖାଦିଏ । ଏଥିରୁ ରକ୍ଷା ପାଇବା ଲାଗି ଆପଣ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଇନଫ୍ଲେମେଟୋରୀ ଫୁଡସ୍ ଯେପରିକି ବ୍ରୋକଲି, ଚେରୀ, ହଳଦୀ ଓ ଗ୍ରୀନ୍ ଟି’ ନିଜ ଡେଲି ଡାଏଟ୍ ରେ ସାମିଲ କରନ୍ତୁ ।

Get real time updates directly on you device, subscribe now.