ୟୁକ୍ରେନ-ରୁଷିଆ ଯୁଦ୍ଧରେ ଥରୁଛନ୍ତି ବିଶ୍ୱବାସୀ: କିନ୍ତୁ ଏହି ୬ ଜଣ ଲୋକ ଏ ବିଷୟରେ କିଛି ଜାଣିନାହାନ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱ ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଆଶଙ୍କା ମଧ୍ୟରେ ରହିଛି । ଆଜି ଯୁଦ୍ଧ ନବମ ଦିନରେ ପହଞ୍ଚିଥିବା ବେଳେ ପରମାଣୁ ଯୁଦ୍ଧର ସମ୍ଭାବନାକୁ ନେଇ ସମସ୍ତ ଦେଶ ଛାନିଆ ହୋଇପଡ଼ିଛନ୍ତି । ଇତିମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ ଗଙ୍ଗା । ମାତ୍ର ଏହି ଯୁଦ୍ଧ ବିଷୟରେ ସମ୍ୟକ ସୂଚନା ବି ପାଇ ନାହାନ୍ତି ୬ ଜଣ ଲୋକ । ଏକଥା ଯେ କେହି ଶୁଣିଲେ ବିଶ୍ୱାସ କରିନପାରେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ ।

ଜଣାପଡ଼ିଛି ଯେ, ଏହି ୬ ଜଣ ଲୋକ ଏକ ସ୍ପେସ ପରୀକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ଏମାନେ ସମସ୍ତେ ଏକ କ୍ୟାପସୁଲ ମଧ୍ୟରେ ବନ୍ଦ ହୋଇଯାଇଥିଲେ । ସେମାନେ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ବାହାରକୁ ଆସିପାରିବେ ନାହିଁ । ଏହି ଟିମରେ ୩୬ ବର୍ଷୀୟ ଆମେରିକୀୟ ୱିଲିୟମ ବ୍ରାଉନ ଓ ୩୨ ବର୍ଷୀ ଏସଲେ କୋୱାସ୍କି ରହିଛନ୍ତି । ଏହାଛଡ଼ା ରୁଷୀୟ ନାଗରିକ ଓଲେଗ ବ୍ଲିନୋବ, ବିକ୍ଟୋରିଆ କିରିଚେଙ୍କୋ, କଟରୀନା କରିୟାକିନା, ସଂଯୁକ୍ତ ଅରବ ଏମିରେଟ୍ସର ସାଲେହ ଅଲ ଅମେରୀ ମଧ୍ୟ ଉକ୍ତ କ୍ୟାପସୁଲ ମଧ୍ୟରେ କଏଦ ହୋଇଯାଇଛନ୍ତି । ବ୍ରାଉନ ଯୁଦ୍ଧ ପୂର୍ବରୁ ଗତ ମାସ ୨୪ ତାରିଖରେ ଶେଷ ଥର ପାଇଁ ତାଙ୍କ ସାଙ୍ଗଙ୍କ ସହ କଥା ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଏହି ସ୍ପେସ୍ ଏକ୍ସପରିମେଣ୍ଟ ଆମେରିକାର ମହାକାଶ ସଂସ୍ଥା ନାସାର ଏକ ସ୍ପେସ୍ ପ୍ରୋଗ୍ରାମ ଅଟେ । ସ୍ପେସ ପ୍ରୋଗ୍ରାମ ଯେପରି ବାଧାପ୍ରାପ୍ତ ନହେବ, ସେଥିପାଇଁ ନାସା ନିଜକୁ ରାଜନୀତି ଠାରୁ ଦୂରେଇ ରଖିଛି । ଏହି କ୍ୟାପସୁଲ ରୁଷର ଏକ ବାହ୍ୟ ଅଞ୍ଚଳ ଅର୍ଥାତ ସୋଭିଏତ ସଂଘର ଏକ ବିଲ୍ଡିଂରେ ରହିଛି । କ୍ୟାପସୁଲ ମଧ୍ୟରେ କଏଦ ହୋଇ ରହିଥିବା ସମସ୍ତ ସଦସ୍ୟଙ୍କର ନିୟମିତ ଯାଞ୍ଚ କରାଯାଉଛି । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ ଆଟାକ କରିଥିବାର ଖବର ସେମାନଙ୍କ ପାଖରେ ପହଞ୍ଚି ନାହିଁ । ଦୀର୍ଘ ମହାକାଶ ଯାତ୍ରାର ସ୍ଥିତି ଉପରେ ପ୍ରଶିକ୍ଷଣ କରିବା ଏହି ପରୀକ୍ଷଣ ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହି ଟିମରେ ସାମିଲ ଥିବା ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟରେ ବ୍ୟସ୍ତ ରହି ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛନ୍ତି ।