fbpx

ବିଶ୍ୱକପ ଫାଇନାଲରେ କରିପାରିବେ ନାହିଁ ଏହିସବୁ କାମ: ପୋଲିସ ପକ୍ଷରୁ କଟକଣା ଜାରି

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ହେବ ଫାଇନାଲ ଟକ୍କର । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ବିଶ୍ୱଯୁଦ୍ଧ ଖେଳାଯିବ । ତେବେ ଏହାପୂର୍ବରୁ ଚଣ୍ଡୀଗଡ଼ ପୋଲିସ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଏହି ସୂଚନା ଜାରି କରିଛି ଚଣ୍ଡୀଗଡ଼ ପୋଲିସ । ଏଥିରେ ଫାଇନାଲ ମ୍ୟାଚ ଦିନ ଅନେକ କାର୍ଯ୍ୟ ଉପରେ କଟକଣା ଜାରି ହୋଇଛି । ପୋଲିସର ଏହି ନୋଟିସ ପାଇଁ ଫିକା ପଡ଼ିପାରେ ବିଶ୍ୱକପ ସେଲିବ୍ରେସନ । ଯାହାକୁ ନେଇ ସାଧାରଣ ଲୋକେ ସାମାନ୍ୟ ଅସନ୍ତୋଷ ଜାହିର କରିଛନ୍ତି ।

ପୋଲିସର ସୂଚନା ଅନୁସାରେ, କୌଣସି ସାର୍ବଜନିକ ସ୍ଥାନରେ ସାଧାରଣ ଲୋକ ସ୍କ୍ରିନ ଲଗାଇ ବା ଏକାଠି ହୋଇ ମ୍ୟାଚ ଦେଖିପାରିବେ ନାହିଁ । ତେବେ ଏଥିପାଇଁ ପୋଲିସର ଅନୁମତି ନେବା ଆବଶ୍ୟକ ହୋଇଛି । ବିନା ଅନୁମତିରେ ଗହଳି କରିବା କିମ୍ବା ଏକାଠି ହୋଇ ମ୍ୟାଚ ଦେଖିଲେ ଏହା ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ବିନା କାରଣରେ ୫ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ସେହିପରି ବାଣ ପୁଟାଇବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଏହାବ୍ୟତୀତ କୌଣସି ସାର୍ବଜନିକ ସ୍ଥାନରେ ଉଚ୍ଚ ସ୍ୱରରେ ମ୍ୟୁଜିକ ବଜାଇବା ଉପରେ କଟକଣା ଜାରି କରାଯାଇଛି । ତେବେ ରାତି ୧୦ଟା ପରେ ମ୍ୟୁଜିକ ବଜାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛି ଚଣ୍ଡୀଗଡ଼ ପୋଲିସ । ମ୍ୟାଚ ସମୟରେ ଏବଂ ମ୍ୟାଚ ପରେ କୌଣସି ପ୍ରକାରର ସ୍ଲୋଗାନ ଦେବା ଏବଂ ଶୋଭାଯାତ୍ରା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିନା ଅନୁମତିରେ ଗୋଟିଏ ସ୍ଥାନରେ ୫ କିମ୍ବା ଏହାଠାରୁ ଅଧିକ ଲୋକ ଠୁଳ ହେବାକୁ ମନା କରିଛି ଚଣ୍ଡୀଗଡ଼ ପୋଲିସ । ରାତି ୧୦ଟା ପରେ ସାର୍ବଜନିକ ସ୍ଥାନରେ ମ୍ୟୁଜିକ ସିଷ୍ଟମ, ଏମ୍ପ୍ଲିଫାୟାର ଭଳି ଡିଜେ, କାର ମ୍ୟୁଜିକ ସିଷ୍ଟମ, ଢୋଲ, ଡ୍ରମ ବିଟ୍ସ ଇତ୍ୟାଦି ଦ୍ୱାରା ଉଚ୍ଚ ସ୍ୱରର ଗୀତ ବଜାଇବା ଧ୍ୱନି ପ୍ରଦୂଷଣ ନିୟମ, ୨୦୦୦ ପର୍ଯ୍ୟାବରଣ ସଂରକ୍ଷଣ ଅଧିନିୟମ ଅନୁସାରେ ବାରଣ କରାଯାଇଛି । ଏହି ମହାମୁକାବିଲା ସମୟରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ପୋଲିସ ।

Get real time updates directly on you device, subscribe now.