fbpx

ଟେନସନ ଫ୍ରି ଚୋର: ଆସିଥିଲା ଚୋରି କରିବାକୁ, ଶୋଇଲା ଆରାମରେ

ଭୋପାଳ, ୧୬ା୧୨: ସେ ଆସିଥିଲା ଚୋରି କରିବାକୁ । କିନ୍ତୁ ଚୋରି ସାମଗ୍ରୀ ପ୍ୟାକ କରିସାରିବା ପରେ ତାକୁ ନିଦ ଲାଗିଲା । ବିଚରା ଆରାମରେ ସକାଳ ପର୍ଯ୍ୟନ୍ତ ଶୋଇପଡ଼ିଲା । ପୋଲିସ ଆସିବା ପରେ ତାର ନିଦ ତ ଭାଙ୍ଗି ଯାଇଥିଲା, ମାତ୍ର ସେ ପୁଣି ପୋଲିସକୁ ଅନୁରୋଧ କରିଥିଲା ତାକୁ ପୁଣି ଶୋଇବାକୁ ଦେବା ପାଇଁ । କାରଣ ଚୋରଟି ପୋଲିସକୁ କହିଥିଲା ତାକୁ ଭୀଷଣ ଥଣ୍ଡା ହୋଇଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାଜାପୁର ଅଞ୍ଚଳରେ ।

ଖବର ଅନୁଯାୟୀ, ଚୋରଟି ମଧ୍ୟପ୍ରଦେଶର ଶାଜାପୁରର ଫୁଲବାଇ ମନ୍ଦିରକୁ ଚୋରି କରିବା ଉଦ୍ଦେଶ୍ୟରେ ଯାଇଥିଲା । ମନ୍ଦିର ତାଲା ଭାଙ୍ଗି ଭିତରକୁ ପଶି ଚୋରି ସାମଗ୍ରୀ ସବୁ ପ୍ୟାକ କରିସାରିବା ପରେ ତାକୁ ଭାରି ନିଦ ଲାଗିଲା । ଅନ୍ୟ ବାଟ ନ ପାଇ ଚୋରଟି ମନ୍ଦିର ଭିତରେ ଶୋଇପଡ଼ିଥିଲା ।

ସକାଳୁ ମନ୍ଦିର ପୂଜକ ଆସି ଦେଖନ୍ତି ତ ମନ୍ଦିରର କୌଣସି ସାମଗ୍ରୀ ନାହିଁ । ମନ୍ଦିର କୋଠରୀର ବାହାର ତାଲା ଭଙ୍ଗା ଯାଇଛି, ଭିତର ପଟୁ ବନ୍ଦ ଅଛି । ତେଣୁ ପୂଜକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଥାନାକୁ ନେବା ସମୟରେ ଚୋରଟି କହିଥିଲା ଯେ, ମୋତେ ଭୀଷଣ ଥଣ୍ଡା ହୋଇଛି, ମୋତେ ଶୋଇବାକୁ ଦିଅ ।

ତେବେ ପୋଲିସ ଚୋରଟିକୁ ପଚରା ଉଚରା କରି ଛାଡ଼ିଦେଇଛି । ସେ ଜଣେ ମାନସିକ ବିକୃତ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଠାକୁରଙ୍କ ଅଶେଷ ମହିମା ରହିଥିଲେ ମନ୍ଦିରରୁ କୌଣସି ଜିନିଷ ଚୋରି ହୋଇପାରିବ ନାହିଁ ପୂଜକମାନେ କହିଛନ୍ତି ।

ଚୋରମାନେ ସାଧାରଣତଃ ଚୋରି କରିବା ସମୟରେ ଧରାପଡ଼ିଯିବା ଭୟରେ ଟେନସନରେ ଝାଳରେ ଓଦା ହୋଇଯାଇଥାନ୍ତି । ମାତ୍ର ଏଭଳି ଟେନସନ ଫ୍ରି ଚୋର ସମାଜରେ ବିରଳ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.