ତୃତୀୟ ଟେଷ୍ଟ ଡ୍ର ହେବାର ସମ୍ଭାବନା ବଢ଼ିଲା: ବର୍ଷା ହେବା ଶତ ପ୍ରତିଶତ ଥୟ, ଟିମ୍ ଇଣ୍ଡିଆକୁ ଆଶ୍ୱସ୍ତି ଦେଲା ପାଣିପାଗ ବିଭାଗ!
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଭାରତ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ କିଛି ବି ଶିକ୍ଷା ଲାଭ କଲାନି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଏବେ ୩ ଦିନ ଖେଳ ସରିଥିବା ବେଳେ ପୁଣି ଥରେ ପରାଜୟ ଦ୍ୱାରଦେଶରେ ଛିଡ଼ା ହୋଇଛି ଭାରତୀୟ ଦଳ । ଉଭୟ ବ୍ୟାଟିଂ ଓ ବୋଲିଂରେ ଅଷ୍ଟ୍ରେଲିଆ କମାଲ କରୁଥିବା ବେଳେ ଭାରତ କିନ୍ତୁ ବ୍ୟାକଫୁଟକୁ ଚାଲିଯାଇଛି । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ଅଷ୍ଟ୍ରେଲିଆ ୩୯୪ ରନରେ ଆଗୁଆ ରହିଥିବା ବେଳେ ଭାରତ ୫୧ ରନରେ ୪ଟି ୱିକେଟ ହରାଇ ଫଲୋଅନ୍ ଏଡ଼ାଇବାକୁ ସଂଘର୍ଷ କରୁଛି । ଭାରତୀୟ ବ୍ୟାଟ୍ସମ୍ୟାନମାନେ ଯଦି ଏଭଳି ଦୟନୀୟ ବ୍ୟାଟିଂ ଜାରି ରଖିବେ, ତେବେ ଏଥର ମଧ୍ୟ ମଧ୍ୟ ଭାରତ ହାରିବା ଥୟ ।
ତେବେ ଇନ୍ଦ୍ରଦେବ ଯଦି ଚାହିଁବେ, ଭାରତକୁ ଆଶ୍ୱସ୍ତି ମିଳିପାରେ । ଯଦି ଭାରତ ଏହି ଟେଷ୍ଟକୁ କଳେବଳେ କୌଶଳେ ଡ୍ର ରଖିପାରନ୍ତା, ତେବେ ଦଳ ଫାଇଦାରେ ରୁହନ୍ତା । ବ୍ରିସବେନର ଗାବା ଷ୍ଟାଡିୟମରେ ତୃତୀୟ ଦିନରେ ମାତ୍ର ୩୩.୧ ଓଭର ଖେଳାଯାଇଥିବା ବେଳେ ଖରାପ ମୌସମ କାରଣରୁ ଖେଳକୁ ୮ ଥର ରୋକିବାକୁ ପଡ଼ିଥିଲା । ଗାବା ଟେଷ୍ଟରେ କଙ୍ଗାରୁ ପଲା ଭାରି ରହିଥିବାରୁ ବର୍ଷା ହେଲେ ତାହା ରୋହିତ ଶର୍ମାଙ୍କ ଟିମଙ୍କୁ ଆଶ୍ୱସ୍ତି ଦେଇ ପାରନ୍ତା । ବ୍ରିସବେନ ଟେଷ୍ଟର ଚତୁର୍ଥ ଓ ପଞ୍ଚମ ଦିନ ବର୍ଷା ଆଶଙ୍କା ଅତ୍ୟଧିକ ରହିଛି । ଚତୁର୍ଥ ଦିନ ୧୦୦ ପ୍ରତିଶତ ଓ ଅନ୍ତିମ ଦିନ ୮୯ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଦିନରେ ବର୍ଷା ଆଶଙ୍କା ୨୦-୩୦ ପ୍ରତିଶତ ରହିଛି । ଭାରତ ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ ଓ ଋଷଭ ପନ୍ତଙ୍କ ବଡ଼ ବଡ଼ ୱିକେଟ ହରାଇଥିବାରୁ ମ୍ୟାଚକୁ ବଞ୍ଚାଇବା ଦଳ ପାଇଁ କଷ୍ଟକର ହୋଇପଡ଼ିବ । ତେଣୁ ଭାରତୀୟ ଦଳ ଏବେ ଇନ୍ଦ୍ରଦେବଙ୍କ ଉପରେ ଭରସା କରି ରହିଛି ।