ଏ ହେଉଛି ଭାରତର ସବୁଠୁ Boring Train… ୪ ଦିନ ପରେ ଗାଡ଼ିରୁ ବାହାରନ୍ତି ପାସେଞ୍ଜର

ନୂଆଦିଲ୍ଲୀ: ଭାରତରେ ଟ୍ରେନକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ସାରା ଦେଶରେ ଏହାର ନେଟୱର୍କ ଲାଗି ରହିଛି । ଭାରତୀୟ ରେଳ ନେଟୱର୍କ ଏସିଆର ଦ୍ୱିତୀୟ ସର୍ବବୃହତ୍ ନେଟୱର୍କ ଭାବରେ ବିବେଚିତ ହୋଇଛି । ପ୍ରତିଦିନ କୋଟି କୋଟି ଲୋକ ଏହି ଭାରତୀୟ ଟ୍ରେନରେ ଯାତାୟତ କରିଥାନ୍ତି । ଏହାବ୍ୟତୀତ ଭାରତୀୟ ରେଲୱେ ଯାତାୟତର ସବୁଠାରୁ ଶସ୍ତା ବ୍ୟବସ୍ଥା ବୋଲି ମଧ୍ୟ ଜଣାଯାଏ । ଖୁବ କମ୍ ଖର୍ଚ୍ଚରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଯାତ୍ରା କରିପାରିବେ ସାଧାରଣ ଲୋକେ । ସେହିପରି ଭାରତରେ ଏମିତି ଏକ ଟ୍ରେନ ମଧ୍ୟ ରହିଛି, ଯାହାକୁ ସବୁଠାରୁ ବୋରିଂ ଟ୍ରେନ ବୋଲି କୁହାଯାଏ ।

ଭାରତରେ ମୋଟ ୧୩ ହଜାରରୁ ଅଧିକ ଟ୍ରେନ ଚାଲୁଥିବା ବେଳେ ଏହା ସାଧାରଣତଃ ଆଖପାଖ ସହର ମଧ୍ୟରେ ଯାତାୟତ କରିଥାଏ । ସେହିପରି ଆଉ କିଛି ଟ୍ରେନ ଦେଶର ଗୋଟିଏ କୋରରୁ ଅନ୍ୟ ଏକ କୋଣକୁ ଯାତାୟତ କରିଥାଏ । ଏଥିପାଇଁ କିଛି ଦିନ ସମୟ ମଧ୍ୟ ଲାଗିଥାଏ । ତେବେ ଏହି ତାଲିକାରେ ଭାରତରେ ସବୁଠାରୁ ଅଧିକ ଦୂର ଅତିକ୍ରମ କରୁଥିବା ଟ୍ରେନ ‘ବିବେକ ଏକ୍ସପ୍ରେସ’ । ଏହା ଆସାମର ଡିବ୍ରୁଗଢରୁ ତାମିଲନାଡୁର କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ । ଏହି ଯାତ୍ରା ପୂରଣ କରିବା ପାଇଁ ‘ବିବେକ ଏକ୍ସପ୍ରେସ’କୁ ପ୍ରାୟ ୮୨ ଘଣ୍ଟା ୫୦ ମିନିଟ ସମୟ ଲାଗିଥାଏ । ଶନିବାର ରାତି ପ୍ରାୟ ୧୧.୦୫ ସମୟରେ ଡିବ୍ରୁଗଢରୁ ବାହାରୁଥିବା ବେଳେ ବୁଧବାର ସକାଳ ୯.୫୫ରେ କନ୍ୟାକୁମାରୀରେ ପହଞ୍ଚିଥାଏ ଏହି ଟ୍ରେନ । ଏହି ଯାତ୍ରା ମଧ୍ୟରେ ଟ୍ରେନ ପ୍ରାୟ ୫୬ଟି ଷ୍ଟେସନରେ ଅଟକିଥାଏ ।

ବିବେକ ଏକ୍ସପ୍ରେସ ଡିବ୍ରୁଗଢରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ପ୍ରାୟ ୪,୨୭୩ କିଲୋମିଟର ଦୂରତା ଯାତ୍ରା କରେ । ତେବେ ଦୁନିଆର ସବୁଠୁ ଅଧିକ ଦୂରତା ଯାତ୍ରା କରୁଥିବା ଟ୍ରେନ ତୁଳନାରେ ବିବେକ ଏକ୍ସପ୍ରେସ ତାହାର କେବଳ ଅଧା ଦୂରତା ଅତିକ୍ରମ କରେ । ସୂଚନା ଥାଉ କି, ଋଷର ଟ୍ରାନ୍ସ-ସାଇବେରିଆ ମାର୍ଗରେ ଚାଲୁଥିବା ଟ୍ରେନ୍ ବିବେକ ଏକ୍ସପ୍ରେସଠାରୁ ପ୍ରାୟ ଦୁଇଗୁଣ ଦୂରତା ଯାତ୍ରା ଅତିକ୍ରମ କରିଥାଏ । ଏହାବ୍ୟତୀତ ଭାରତର ଦ୍ୱିତୀୟ ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଟ୍ରେନ ହେଉଛି ହିମସାଗର ଏକ୍ସପ୍ରେସ । ଏହା ଜମ୍ମୁ ମା ବୈଷ୍ଣୋ ଦେବୀ କଟରା ରେଲୱେ ଷ୍ଟେସନରୁ ତାମିଲନାଡୁର କନ୍ୟାକୁମାରୀକୁ ଟ୍ରାଭେଲ କରିଥାଏ । ଏହି ୩୭୮୫ କିଲୋମିଟରର ଯାତ୍ରା କରିବା ପାଇଁ ହିମସାଗର ଏକ୍ସପ୍ରେସକୁ ପ୍ରାୟ ୭୨.୩୦ଘଣ୍ଟା ସମୟ ଲାଗେ ।