ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ପରାଜୟର ସାମନା କରିଛି ଟିମ ଇଣ୍ଡିଆ । ୨୧୧ ରନର ଏକ ବିଶାଳ ସ୍କୋର କରିବା ପରେ ମଧ୍ୟ ୭ ୱିକେଟରେ ପରାସ୍ତ ହୋଇଛି ଭାରତ । ବୋଲିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତ ପ୍ରଥମ ମ୍ୟାଚକୁ ହାତଛଡା କରିଛି । ତେବେ ଦଳର ଜଣେ ଷ୍ଟାର ବୋଲର ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଦ୍ୱିତୀୟ ମ୍ୟାଚରେ ଏହି ଖେଳାଳିଙ୍କୁ ଦଳରୁ ବାଦ ଦେଇପାରନ୍ତି ଅଧିନାୟକ ଋଷଭ ପନ୍ତ ।
ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ବୋଲର ହର୍ଷଲ ପଟେଲ ଖରାପ ପ୍ରଦର୍ଶନ କରିଛନ୍ତି । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ସାମନାରେ ସମ୍ପୂର୍ଣ୍ଣଭାବେ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି ହର୍ଷଲ । ୪ ଓଭରରେ ସେ ମୋଟ ୪୩ ରନ ବ୍ୟୟ କରିଛନ୍ତି । ଡେଥ ଓଭରରେ ମଧ୍ୟ ସେ ନିଜ କରିସ୍ମା ଦେଖାଇବାରେ ସଫଳ ହୋଇ ପାରି ନଥିଲେ । ତେଣୁ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ଦଳରୁ ବାଦ ଦେଇ ପାରନ୍ତି ଅଧିନାୟକ ଋଷଭ ପନ୍ତ । ତାଙ୍କ ସ୍ଥାନରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଦଳରେ ସ୍ଥାନ ପାଇଥିବା ଉମ୍ରାନ ମଲିକଙ୍କୁ ସୁଯୋଗ ଦିଆଯାଇପାରେ ।
ଆଇପିଏଲରେ ଦମଦାର ବୋଲିଂ କରି ସେ ୧୪ ମ୍ୟାଚରୁ ୨୨ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଉମ୍ରାନଙ୍କ ପାଇଁ ସବୁଠୁ ବଡ ଅସ୍ତ୍ର ପାଲଟିଛି ତାଙ୍କ ବୋଲିଂର ଗତି । ତେଣୁ ହର୍ଷଲଙ୍କୁ ଯଦି ଦ୍ୱିତୀୟ ମ୍ୟାଚରେ ବାଦ ଦିଆଯାଏ, ତେବେ ତାଙ୍କ ବିକଳ୍ପରେ ଉମ୍ରାନ ହିଁ ଟିମ ଇଣ୍ଡିଆର ପ୍ରଥମ ଦାବିଦାର ହେବେ ବୋଲି ଅନୁମାନ କରାଯାଉଛି ।