ବଡ଼ ନିଷ୍ପତ୍ତି: ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ଜଣେ ନୂଆ କଂସ, ହଟିଲେ ହୃଷିକେଶ ଭୋଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ରାଜ୍ୟର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଜଣେ ନୂଆ କଂସଙ୍କୁ ଦେଖିବ । ୨୦୨୨ ମସିହାରୁ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଆସୁଥିବା ହୃଷିକେଶ ଭୋଇଙ୍କୁ ହଟାଇ ଦିଆଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ନୂଆ କଂସ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ୨୦୦୨ରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୨ରୁ ବରଗଡ଼ ଧନୁଯାତ୍ରାର କଂସ ଭୂମିକା ତୁଲାଇ ଆସୁଥିବା ହୃଷିକେଶ ମହାପ୍ରୟାଣ ଗାଡ଼ି ଚଳାଉଥିବା ସମୟରେ ଲାଞ୍ଚ ନେଇ ଧରାପଡ଼ିଥିଲେ । ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ଠାରୁ ହୃଷିକେଶ ୩ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମର ରିପୋର୍ଟ ଆଧାରରେ ହୃଷିକେଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଗତ ମାସରେ ହୃଷିକେଶଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଥିବା ବେଳେ ସେହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।