ଆନ୍ଧ୍ରପ୍ରଦେଶ ସଡ଼କ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ସିମାଞ୍ଚଳ ଯିବା ହେଲା କାଳ । ଦୁର୍ଘଟଣାରେ ବାପ-ଝିଅଙ୍କ ସମେତ 3ଜଣଙ୍କ ମୃତ୍ୟୁ ।

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ 2ଜଣ ବ୍ୟକ୍ତିଙ୍କ ସହିତ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ଶ୍ରୀକାକୁଲମ ଜିଲ୍ଲାର କୋଟାବୋମାଲି ମଣ୍ଡଳ ଅନ୍ତର୍ଗତ ଉଥାଲାପାଡୁରେ ଏହି ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି ।

ସିମାଞ୍ଚଳ ଯିବା ବେଳେ ଦୁର୍ଘଟଣା- ମୃତକଙ୍କ ନାମ ସୁଶାନ୍ତ କୁମାର ସାବତ,ତାଙ୍କ ଝିଅ ସନ୍ତୋଷୀ ସାବତ(୩) ଏବଂ ଗୋକୁଲା ପଣ୍ଡା (୩୩) ବୋଲି ଚିହ୍ନଟ କରାଯାଇଛି । ସେମାନେ ଓଡ଼ିଶାରୁ ସିମାଞ୍ଚଳ ଯାଉଥିବା ବେଳେ ଉତ୍ଥାଲାପାଡୁରେ ସେମାନଙ୍କ ଗାଡ଼ି ଅଟକାଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଦୁର୍ଭାଗ୍ୟବଶତଃ, କିଛି ସମୟ ପରେ ସେମାନଙ୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ମାନସିକ ରହିଥିବାରୁ ସିମାଞ୍ଚଳମରେ ଲଣ୍ଡା ହେବା ପାଇଁ ଯାଉଥିବା ସୂଚନା ମିଳିଛି ।

ପ୍ରାଣ ହରାଇଲେ 3- ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ସଙ୍ଗେସଙ୍ଗେ 3ଜଣଙ୍କୁ ଶ୍ରୀକାକୁଲମର RIMSK ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ସୁଶାନ୍ତ ଏବଂ ସନ୍ତୋଷୀ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ମୈଶାନପୁର ଗାଁର ବାସିନ୍ଦା ଥିଲେ । ସେହିପରି ଗୋକୁଳା ପଣ୍ଡା ବ୍ରହ୍ମପୁରର ଗେଟ୍ ବଜାର ଅଞ୍ଚଳରେ ରହୁଥିବା ଜଣାପଡ଼ିଛି ।

ଗ୍ରାମରେ ଶୋକାକୂଳ ପରିସ୍ଥିତି- ତେବେ ଦୁର୍ଘଟଣା ପରେ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ସେ ଜଣ ମିଷ୍ଟଭାସୀ ବ୍ୟକ୍ତି ଥିଲେ । ବେସରକାରୀ ଶିକ୍ଷକ ଭାବେ ସେ କିଛି ଦିନ କାର୍ଯ୍ୟକରିବା ପରେ ଦୀର୍ଘ 13 ବର୍ଷ ଧରି ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରି ଆସୁଥିଲେ ।

ତେବେ 11 ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିବା ବେଳେ ପରିବାର ଲୋକଙ୍କୁ ନେଇ ସେ ସିମାଞ୍ଚଳମ ଅଭିମୁଖେ ଯାଇଥିଲେ । ତେବେ ସୁଶାନ୍ତ ସାବତଙ୍କର ଅକାଳ ବିୟୋଗକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ସ୍ଥାନୀୟ ଗ୍ରାମରେ ମଧ୍ୟ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଶୋକ- ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିବା ସହିତ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି, “ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାରେ କେ. ନୂଆଗାଁ ଅଞ୍ଚଳର ୩ ଓଡ଼ିଆ ଗୋକୁଳ ପଣ୍ଡା, ସୁଶାନ୍ତ କୁମାର ସାବତ ଏବଂ ୩ ବର୍ଷ ବୟସର ଶିଶୁ ସନ୍ତୋଷୀ ସାବତ ପ୍ରାଣ ହରାଇଥିବା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ସମସ୍ତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।”