କଣ୍ଟାବାଞ୍ଜି ଆସନ କଂଗ୍ରେସର ଗଡ଼: ସମ୍ମାନ ପାଇଁ ଲଢ଼ିବେ ତିନି ଦଳର ପ୍ରାର୍ଥୀ, ନବୀନଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ସାଲୁଜା ଓ ଲକ୍ଷ୍ମଣ 

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଟିକେଟ ପାଇବା ପରେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଜୋରସୋରରେ ଲାଗି ପଡ଼ିଛନ୍ତି । ଟିକେଟ କଟିବା ପରେ କିଛି ନେତା ନିଜ ଦଳ ଛାଡ଼ି ଅନ୍ୟ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।

ମେ ୨୦ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହି ଆସନ ଉପରେ ନିଶ୍ଚିତ ଭାବେ ସାରା ରାଜ୍ୟବାସୀଙ୍କ ନଜର ରହିବ । କାରଣ ଏହି ଆସନରୁ ଏଥର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲଢ଼ୁଛନ୍ତି । ତେଣୁ ଏହି ଆସନରେ ଜିତିବା ନବୀନ ତଥା ବିଜେଡି ପାଇଁ ଏକ ବଡ଼ ସମ୍ମାନର ପ୍ରଶ୍ନ । ଗଞ୍ଜାମର ହିଞ୍ଜିଳି ଓ କଣ୍ଟାବାଞ୍ଜି ଏହି ଦୁଇ ଦୁଇଟି ଆସନରୁ ଏଥର ନବୀନ ଲଢ଼ୁଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଆସନରୁ ବିଜେଡି ମାତ୍ର ଥରେ ଜିତିଥିବା ବେଳେ ବିଜେପି ଖାତା ଖୋଲି ପାରିନାହିଁ । ଅନ୍ୟପଟେ କଂଗ୍ରେସର ଏହା ଗଡ଼ କହିଲେ ଚଳେ ।

ନବୀନଙ୍କୁ ଟକ୍କର ଦେବା ପାଇଁ ଏହି ଆସନ ପାଇଁ କଂଗ୍ରେସରୁ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ସନ୍ତୋଷ ବାଗ୍ ପ୍ରାର୍ଥୀ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗତ ୨୦୧୯ ବିଧାନସଭା ନିର୍ବାଚନରେ ଏହି ଆସନର କଂଗ୍ରେସ ପ୍ରାର୍ଥୀ ସାଲୁଜା ମାତ୍ର ୧୧୮ଟି ଭୋଟରେ ବିଜୟୀ ହୋଇଥିଲେ । ତେଣୁ ଶେଷ ଭୋଟ ପର୍ଯ୍ୟନ୍ତ ସେଠାରେ ଲଢ଼େଇ ହେବାର ଅନୁମାନ କରାଯାଉଛି । ମାତ୍ର ଏଥର ନବୀନ ନିଜେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବାରୁ ସ୍ଥିତି କ’ଣ ହେଉଛି ତା’ ଉପରେ ଏବେ ସଭିଙ୍କ ନଜର ରହିଛି ।

ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାଲୁଜା ୬୪,୨୪୬ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମର ବାଗ୍ ୬୪,୧୧୮ଟି ଭୋଟ ଓ ବିଜେଡି ପ୍ରାର୍ଥୀ ଅଜୟ କୁମାର ଦାସ ୫୪,୫୨୭ଟି ଭୋଟ ପାଇଥିଲେ । ତିନି ପ୍ରାର୍ଥୀଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ହୋଇଥିଲା । ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ଆୟୂବ ଖାନ ୫୫,୨୫୨ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସାଲୁଜା ୫୧,୩୮୪ଟି ଭୋଟ ଓ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୦,୯୬୧ଟି ଭୋଟ ପାଇଥିଲେ । ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାଲୁଜା ୬୨,୪୯୫ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ହାଜି ମହମ୍ମଦ ଆୟୂବ ଖାନ ୫୭,୧୯୧ଟି ଓ ବିଜେପି ପ୍ରାର୍ଥୀ ଅଜୟ କୁମାର ଦାସ ୧୬,୧୧୭ଟି ଭୋଟ ପାଇଥିଲେ ।