fbpx

ଟିକେଟ ବଣ୍ଟାକୁ ନେଇ ହରିଆଣା ବିଜେପିରେ ଅସନ୍ତୋଷ, ଦଳ ଛାଡୁଛନ୍ତି ନେତା, ମନ୍ତ୍ରୀ

ରାନିୟା: ହରିଆଣା ବିଜେପିରେ ଦେଖାଦେଇଛି ଅସ୍ଥିରତା । ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ଜଣଜଣ କରି ନେତା, ମନ୍ତ୍ରୀ, ବିଧାୟକ । ଟିକେଟ ବଣ୍ଟନକୁ ନେଇ ଦେଖାଦେଇଛି ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ଅସନ୍ତୋଷ । ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ସୂଚୀ ଘୋଷଣା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଟିକେଟରୁ ବାଦ ପଡିବା ପରେ ମନ୍ତ୍ରୀ ରଣଜିତ ସିଂହ ଚୌଟାଲା ମଧ୍ୟ ନିଜ ଇସ୍ତଫା ପଠାଇ ଦେଇଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ।
ରଣଜିତ ସିଂହ ନିଜ ଇସ୍ତଫାର କାରଣ ଟିକେଟ ନ ମିଳିବା ବୋଲି ଖୋଲାଖୋଲି କହିଛନ୍ତି । ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି କି, ପାର୍ଟି ଟିକେଟ ନ ଦେବାରୁ ସେ ଏମିତି ପଦକ୍ଷେପ ନେଇଛନ୍ତି । ଏହାରି ଭିତରେ ବିଜେପି ଦ୍ୱାରା ବର୍ତ୍ତମାନ ସ୍ଥିତିରେ ବିଧାୟକମାନଙ୍କୁ ଟିକେଟରୁ ବଞ୍ଚିତ କରିବା ପରେ ପାର୍ଟିରେ ଅସନ୍ତୋଷ ବଢିବାରେ ଲାଗିଛି ।
ରାଜନୈତିକ ବିଶେଷଜ୍ଞଙ୍କ ମୁତାବକ, ରଣଜିତ ଚୌଟାଲା ବିଜେପିରୁ ଟିକେଟ ନ ମିଳିବା ପରେ ମନ୍ତ୍ରୀ ପଦ ଛାଡି ଦେଇଛନ୍ତି । ସେ ନାୟବ ସିଂହ ସୈନୀଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ପରେ ଚୌଟାଲା ତାଙ୍କ ପାରମ୍ପରିକ ସିଟ ରାନିୟା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ।
ଏଠାରେ କହି ରଖୁ କି, ଏହା ପୂର୍ବରୁ ମଧ୍ୟ ବହୁ ନେତା ଦଳର ସଦସ୍ୟାତା ତ୍ୟାଗ କରିସାରିଲେଣି । ଟିକେଟ୍ ଘୋଷଣା ହେବା ପରେ ଦଳର ସଦସ୍ୟ ମୋହନ ଲାଲ ବାରୋଲିଙ୍କୁ ବିଧାୟକ ଲକ୍ଷ୍ମଣ ନାପା ଏକ ଚିଠି ଲେଖି ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ନାପା ଲେଖିଛନ୍ତି ଯେ ସେ ସମସ୍ତ ପଦବୀରୁ ଏବଂ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି ।
ପୂର୍ବତନ ମନ୍ତ୍ରୀ କର୍ଣ୍ଣ ଦେବ କମ୍ବୋଜ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ହରିୟାଣା ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଥିଲେ । ପୂର୍ବତନ ମନ୍ତ୍ରୀ କର୍ଣ୍ଣଦେବ କମ୍ବୋଜ କର୍ଣ୍ଣଲର ଇନ୍ଦ୍ରି ବିଧାନସଭାରୁ ଟିକେଟ ମାଗୁଥିଲେ । କିନ୍ତୁ ତାଙ୍କୁ ଟିକେଟ୍ ଦିଆଯାଇନଥିଲା ।

Get real time updates directly on you device, subscribe now.