fbpx

୬ ବର୍ଷର ପିଲାକୁ ଝାମ୍ପିନେଲା କଲରାପତରିଆ ବାଘ

ରାଇଘର(ଓଡ଼ିଶା ଭାସ୍କର) : କଲାରାପତରିଆ ବାଘ ଆକ୍ରମଣରେ ୬ ବର୍ଷର ଜଣେ ପିଲାର ମୃତ୍ୟୁ ହୋଇଛି । ସେ ପରିବାର ସହିତ ନବରଙ୍ଗପୁର ରାଇଘର ବ୍ଲକ ରାଇଘର ତୁରୁଡିହି ଗାଁରୁ ଛତିଶଗଡ଼ ଯାଇଥିବା ବେଳେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ମୃତ ବାଳକର ନାଁ ଅମିତ ମର୍କାମ ହୋଇଥିବା ବେଳେ ସେ ଛତିଶଗଡର ସିହାୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷିଙ୍କ ଦର୍ଶନ ପାଇଁ ଯାଇଥିଲେ । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଝାମ୍ପିନେଇଥିଲା ବାଘ । ପିଲାକୁ ବାଘ ଝାମ୍ପି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ । ବାଘ ଅମିତକୁ ଟାଣି ନେଇ ପାହାଡ଼କୁ ଚାଲି ଯାଇଥିଲା । ଜଙ୍ଗଲ ଭିତରେ ରକ୍ତ ଚିହ୍ନକୁ ଦେଖି ଦେଖି ଅମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ବନ ବିଭାଗ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ବନ ବିଭାଗ ଉକ୍ତ ପରିବାରକୁ ୩୫ ହଜାର ଟଙ୍କା କ୍ଷତି ପୂରଣ ଦେଇଥିବା ଜଣା ପଡିଛି l ଅନ୍ୟପଟେ ଏହି ଘଟଣା ଉକ୍ତ ଅଞ୍ଚଳରେ ୨ୟ ଥର ଘଟିଛି, ଫଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବୀ କରିଛନ୍ତି l ଏହି ଘଟଣା ପରେ ରାଇଘର ବ୍ଲକର ତୁରୁଡିହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି l

Get real time updates directly on you device, subscribe now.