ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ୯ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼; ଏହି 6 ରାଶି ପାଇଁ କାଳ ସାଜିବ ରକ୍ତଚନ୍ଦ୍ର, ରୁହନ୍ତୁ ସାବଧାନ…

ଭୁବନେଶ୍ବର: ଆଜି  ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ୨୦୨୨ ବର୍ଷ ପରେ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ।  ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଏହି ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି । ରାତିରେ ଆକାଶରେ ସଂଘଟିତ ହେବ ମହାଜାଗତିକ ଦୃଶ୍ୟ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥାତ୍ ମଧ୍ୟାହ୍ନ ୧୨ଟା ୫୭ ମିନିଟ ୨୨ ସେକେଣ୍ଡରୁ ଆନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି । ବାଳୁତ, ବୃଦ୍ଧ, ରୋଗୀମାଙ୍କ ପକ୍ଷେ ଏହି ନିୟମ କୋହଳ ରହିଛି।

ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେଣୁ ମଧ୍ୟାହ୍ନ ୧୨ଟା ୫୭ ମିନିଟ ପୂର୍ବରୁ ଦେବନୀତି ଶେଷ ହେବ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଆନ୍ନଭୋଜନ କରାଯାଇପାରିବ ବୋଲି ପାଞ୍ଜିକାରେ କୁହାଯାଇଛି। ତେବେ ରବିବାର ଅର୍ଥାତ ଆଜି ରାତିର ୯ଟା ୫୮ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ସହ ଆକାଶରେ ବ୍ଲଡ୍ମୁନ୍ ଦେଖାଯିବ ।

ସେହିପରି ଚନ୍ଦ୍ରଗହଣ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିବ ବୋଲି ମତ ଦେଇଛନ୍ତି ଜ୍ୟୋତିଷ। ଜ୍ୟୋତିର୍ବିଦ ମିଲନ ବାନାର୍ଜୀଙ୍କ ମତରେ ଆସନ୍ତାକାଲି ରାହୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଏହି ରାଶିର ଲୋକମାନେ ବିଶେଷ ଧ୍ୟାନ ଦେବା ଦରକାର । ଚନ୍ଦ୍ରଗ୍ରହଣର ୩ ମାସ ପୂର୍ବରୁ ଓ ପରବର୍ତ୍ତୀ ୩ ମାସ ଯାଏ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ । ଅନ୍ୟ ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରିପାରିବେ ।