ଆଜି ହେଉଛି ଓଡ଼ିଆ ନବବର୍ଷ। ଏହା ସହିତ ହିନ୍ଦୁ ଧାର୍ମିକ ପରମ୍ପରାର ଆନୁଯାୟୀ ଆଜି ରାଜ୍ୟ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଭାବେ ପାଳନ କରୁଛି। ଏହା ବ୍ୟତୀତ ଆଜି ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେଉଛି। ଏଥିପଆଇଁ ତମାମ ରାଜ୍ୟ ବେଶ ଉତ୍ସବ ମୁଖର ହୋଇ ପଡିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସାଜସଜ୍ଜା ମଧ୍ୟ ଶେଷ ହୋଇଛି। ହନୁମାନ ଜୟନ୍ତି ପାଇଁ ବିଭିନ୍ନ ମହାବୀରଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି। ସେହିପରି ଆଜି ପଣାସଂକ୍ରାନ୍ତି ଥିବାରୁ ଘରେ ଘରେ ଚଉଁରାରେ ଠେକି ବନ୍ଧା ପର୍ବ ମଧ୍ୟ ଆରମ୍ଭ ହୋଇଚି। ମନ୍ଦିର ଗୁଡିକରେ ସକାଳୁ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି।
ଓଡିଆ ପରମ୍ପରା ଅନୁଯାୟୀ ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୁଏ । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଥାଏ । ନୂତନ ବର୍ଷରେ ହଜାର ହଜାର ଭକ୍ତ ହନୁମାନ ମନ୍ଦିର, ଶିବ ଏବଂ ସୂର୍ଯ୍ୟ ଦେବତା ମନ୍ଦିର ଯାଆନ୍ତି । ଏହା ସହ କେତେକ ସ୍ଥାନରେ ବୁଡ ପକାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ପବିତ୍ର ନଦୀ ଗୁଡିକରେ ବଡି ଭୋରରୁ ଶ୍ରଦ୍ଧାଳୁମାନେ ସ୍ନାନ କରି ମନୋସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତି । ପାରମ୍ପାରିକ ନୃତ୍ୟ , ଝାମୁ ଯାତ୍ରା ଓ ପାଟୁଆ ଯାତ୍ରାରେ ଗାଁ ଦାଣ୍ଡ ଦୁଲୁକି ଉଠେ । ଏହି ଦିନ ଘରେ ଓ ମନ୍ଦିରରେ ଦେବାଦେବୀଙ୍କ ନିକଟରେ ପଣା ଭୋଗ ଲାଗେ । ଏହା ସହ ମନ୍ଦିର ବାହାରେ ବିଭିନ୍ନ ସ୍ଥାନରେ ପଣା ବଣ୍ଟାଯାଏ ।
ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଏହି ପର୍ବ ପଡେ । ଏହା ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି । ବର୍ଷର ପ୍ରଥମ ସଂକ୍ରାନ୍ତି ଏବଂ ପ୍ରଥମ ଦିନଟିକୁ ଅତି ଧୁମ୍ ଧାମରେ ପାଳନ କରାଯାଏ । ଅତି ସ୍ୱାଦିଷ୍ଟ ପାନୀୟରୁ ଓଡିଆମାନଙ୍କ ନବ ବର୍ଷ ଆରମ୍ଭ ହୁଏ । ଛତୁଆ, କ୍ଷୀର, ଦହି, ଗୁଡ, କଦଳୀ ଓ ନଡିଆକୁ ମିଶାଯାଇ ପଣା ପ୍ରସ୍ତୁତ କରାଯାଏ । ଏହାକୁ ପ୍ରଥମେ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ । ଏହି ପଣାକୁ ଏକ ଠେକି ରଖାଯାଇ ଛଉଁରା ଉପରେ ବନ୍ଧା ଯାଏ । ଏହି ଦିନ ବେଲ ପଣା ମଧ୍ୟ ପ୍ରସ୍ତୁତ କରାଯାଏ । ଯାହା ପେଟ ପାଇଁ ଅତ୍ୟନ୍ତଲାଭଦାୟକ ହୋଇଥାଏ ।
ପଣା ପାନୀୟର ବିଶେଷତ୍ୱ
ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ବୁଟ ଛତୁଆ ଭଳି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ କରାଯାଏ । ସୂର୍ଯ୍ୟର ଅତ୍ୟଧିକ ଉତ୍ତାପ ସହ ଦେହର ତାପ ଶକ୍ତିକୁ ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଏ । । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ଏହି ଦିନ ଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହି ଦିନ ନୂଆ ପାଞ୍ଜି ବା ଓଡିଆ କ୍ୟାଲେଣ୍ଡର ବାହାରେ । ସେହି ପାଞ୍ଜି ଅନୁସାରେ ଶୁଭ ଦିନ ଓ ଶୁଭ କାର୍ଯ୍ୟ ନିର୍ଦ୍ଧାରିତ ହୁଏ ।