fbpx

ଆଜି ରଜ, କମ୍ପିବ ଗାଁ ଦାଣ୍ଡ: ଜାଣନ୍ତୁ ରଜର ମହତ୍ତ୍ୱ ଓ ଏହାର ଇତିହାସ ସମ୍ପର୍କରେ ବିସ୍ତୃତ ତଥ୍ୟ

ଓଡ଼ିଶା ଭାସ୍କର: ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ…. ଏହି ଗୀତରୁ ଆରମ୍ଭ ହୁଏ ରଜପର୍ବ । ରାତି ପାହିଲେ ରଜ । ଉତ୍ସବମୁଖର ହେଲାଣି ଗାଁରୁ ସହର  । ଆମ୍ବ ତୋଟାରେ ରଜଦୋଳି ପ୍ରସ୍ତୁତ ସରିଲାଣି । ପହିଲି ରଜରେ ପିଲାମାନେ ସକାଳୁ ଗାଧୋଇ ନୂଆ ଡ୍ରେସ ସାଙ୍ଗକୁ ମଥାରେ ଙ୍କୁକୁମ ଓ ପାଦରେ ଅଳତା ଲଗାଇ ଦୋଲି ଖେଳିବାକୁ ବାହାରି ଯାଆନ୍ତି । ଓଡ଼ିଶାର ଅନେକ ପର୍ବ ମଧ୍ୟରୁ ରଜପର୍ବ ଅନ୍ୟତମ । ରଜର ନାଁ ଶୁଣିଲେ ମନରେ ଆସିଯାଏ ଅନେକ ପ୍ରକାରର ପିଠାର ନାମ । ରଜରେ ପୋଡ଼ ପିଠା ଓ ପାନର ବାସ୍ନା ମନରେ ଭରିଦିଏ ଅସରନ୍ତି ଆନନ୍ଦ । ସେହିପରି ରଜ ଦୋଳି ଓ ପୁଚି ଖେଳ ସାଙ୍ଗକୁ ପୁଅମାନଙ୍କର ଲୁଡୁ, ତାସ ଓ ବାଗୁଡ଼ି ଭଳି ଖେଳର ଆସର ଜମେ ।

ରଜର ମହତ୍ତ୍ୱ:

ପାଞ୍ଚଦିନ ଧରି ପାଳନ କରାଯାଉଥିବା ରଜର ପ୍ରଥମ ଦିନକୁ ସଜବାଜ, ଦ୍ୱିତୀୟ ଦିନକୁ ପହିଲି ରଜ, ତୃତୀୟ ଦିନକୁ ମିଥୁନ ସଂକ୍ରାନ୍ତି, ଚତୁର୍ଥ ଦିନକୁ ଭୂମି ଦହନ ଏବଂ ପଞ୍ଚମ ବା ଶେଷ ଦିନକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଇଥାଏ ।ରଜ ପର୍ବ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ ମାସର ଆରମ୍ଭରେ ପଡ଼ିଥାଏ । ରଜ ଶବ୍ଦଟି ରଜସ୍ୱଳା ଶବ୍ଦରୁ ଆସିଛି । ରଜ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା । ମାତୃ ଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଭରିବା ପାଇଁ ରଜପର୍ବ ପାଳନ କରାଯାଇଥାଏ ।

ରଜପର୍ବର ଆରମ୍ଭ:

କୁହାଯାଏ ମଧ୍ୟଯୁଗରୁ ଆରମ୍ଭ ହୋଇଥିଲା ରଜପର୍ବ । କୃଷିଭିତ୍ତିକ ପର୍ବ ଭାବେ ଆରମ୍ଭ ଏହି ପର୍ବରେ ମାଟି ମା’ଙ୍କୁ ପୂଜା କରାଯାଏ । ମହାକବି କାଳିଦାସଙ୍କ ରଚିତ ମହାକାବ୍ୟ ‘ମେଘଦୂତମ’ରେ ଏହି ରଜ ପର୍ବକୁ ନେଇ ଏକ ଇତିକଥା ରହିଛି । ଇତିକଥା ଅନୁସାରେ ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୋଇଥାଏ । ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଇଥାଏ । ଧରଣୀମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ୩ ଦିନ ସମ୍ପୂର୍ଣ୍ଣ ରୂପେ ବିଶ୍ରାମ ଦିଆଯାଇଥାଏ । ଏହି ୩ ଦିନକୁ ରଜ ପର୍ବ ଭାବେ ପାଳନ କରାଯାଇଥାଏ । ରଜ ତିନି ଦିନ ଧରଣୀମାତାକୁ କଷ୍ଟ ନଦେଇ ଭୂମି କର୍ଷଣ ଭଳି କାର୍ଯ୍ୟକୁ ବାରଣ କରାଯାଇଥାଏ । ମା’ ଟିଏ ଯେପରି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ ସେମିତି ପ୍ରଜନନକ୍ଷମ ମାଟି ମା’କୁ ରଜ ତିନି ଦିନ ବିଶ୍ରାମ ଦିଆ ଯାଇଥାଏ । ସେଥିପାଇଁ ଚାଷୀମାନେ ଚାଷ କାମରୁ ୩ ଦିନ ପାଇଁ ବିରତି ନେଇଥାନ୍ତି ।

ରଜ ପର୍ବ କିପରି ପାଳନ କରାଯାଏ:

ଓଡ଼ିଶାରେ ରଜ ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି ଲୋକେ । ରଜ ୩ ଦିନ ଘରର ମହିଳାମାନେ କାମରୁ ବିଶ୍ରାମ ନେଇଥାନ୍ତି । କଟା, ବଟା ଓ ରୋଷେଇ ଭଳି କାର୍ଯ୍ୟ କରିବାକୁ ଝିଅ ବୋହୂମାନଙ୍କୁ ବାରଣ କରାଯାଇଥାଏ । କୁଆଁରୀ ଝିଅମାନେ ନୂଆ ଡ୍ରେସ ପିନ୍ଧି ସଜ ହୋଇ ଦୋଳି ଓ ପୁଚି ଖେଳରେ ୩ ଦିନ ସମୟ ଅତିବାହିତ କରିଥାନ୍ତି । ପରମ୍ପରା ଅନୁସାରେ ରଜ ତିନି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । ରଜ ପିଠା ଓ ପାନ ଖାଇ ଓଡ଼ିଆଣୀମାନେ ରଜ ପର୍ବକୁ ପାଳନ କରିଥାନ୍ତି । ସେହିପରି ବିଭିନ୍ନ ଗୀତ ଗାଇ ରଜ ପର୍ବ ପାଳନ କରାଯାଇଥାଏ ।

ରଜପର୍ବର ବିଶେଷ ଖାଦ୍ୟ:

ରଜ ତିନି ଦିନ ଘରର ମହିଳାମାନଙ୍କୁ କାର୍ଯ୍ୟରୁ ବାରଣ କରାଯାଇଥିବାରୁ ରଜ ପୂର୍ବଦିନ ଅନେକ ପ୍ରକାରର ପିଠା ପ୍ରସ୍ତୁତ କରିଥାନ୍ତି, ଯାହା ସହଜରେ ନଷ୍ଟ ହୋଇ ନଥାଏ । ରଜ ପର୍ବର ପ୍ରମୁଖ ପିଠା ହେଉଛି ପୋଡ଼ ପିଠା । ସେହିପରି ମଣ୍ଡା ପିଠା, ଚକୁଳି ପିଠା, ଏଣ୍ଡୁରି ପିଠା, ଆରିଷା ପିଠା ସହିତ ଆମ୍ବ, ପଣସ ଓ ସପୁରୀ ଭଳି ଅନେକ ପ୍ରକାରର ଫଳମୂଳ ଏକାଠୀ ସମସ୍ତେ ଖାଇଥାନ୍ତି । ସେହିପରି ରଜରେ ପାନଖିଆ ଏକ ଓଡ଼ିଆ ପରମ୍ପରାର ପ୍ରତୀକ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।

କୋଭିଡ ମହାମାରୀ କାରଣରୁ ଗତ ୨ବର୍ଷ ଧରି ଭଲରେ ପାଳନ ହୋଇ ପାରି ନଥିବା ରଜ ପର୍ବ ଏବର୍ଷ ଧୁମଧାମରେ ପାଳନ ହେବ ବୋଲି ସମସ୍ତଙ୍କର ଆଶା ।

 

Get real time updates directly on you device, subscribe now.