ଓଡ଼ିଶା ଭାସ୍କର: ଅକ୍ଟୋବର ୨ ତାରିଖ ଦିନ ଭାରତର ସ୍ୱାଧୀନତା ସଂଗ୍ରାମର ଦୁଇ ମହାନ ନେତା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକି । ଏହି ଦିନକୁ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଭାବରେ ପାଳନ କରାଯାଏ । କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବରେ ଦେଶର ସ୍ୱାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ମହାତ୍ମା ଗାନ୍ଧୀ ବେଶ ଲୋକପ୍ରିୟ ଥିଲେ । ତାଙ୍କର ସତ୍ୟ ଓ ଅହିଂସା ବିଚାରଧାରା ସାମ୍ନାରେ ହାର ମାନିଥିଲା ଇଂରେଜଙ୍କ ଗର୍ବ ଓ ଦମ୍ଭ । ସେହିପରି ଶାସ୍ତ୍ରୀଜୀଙ୍କ ‘ଜୟ ଜବାନ ଜୟ କିଷାନ’ ସ୍ଲୋଗାନ୍ ଭାରତୀୟଙ୍କ ମନରେ ଉତ୍ସାହ ଓ ପ୍ରୋରଣା ଭରି ଥିଲା । ଏହି ସ୍ଲୋଗାନ୍ ଆଜି ବି ଅମର ରହିଛି । ଜଣେ ରାଜନେତା ଓ ସ୍ୱାଧୀନତା ସଂଗ୍ରାମର ନାୟକ ଭାବେ ତାଙ୍କର ଏକନିଷ୍ଠ କର୍ତ୍ତବ୍ୟ
ସାରା ବିଶ୍ୱରେ ପ୍ରତିଷ୍ଠିତ କରିଥିଲା ।
୧୮୬୯ ମସିହା ଅକ୍ଟୋବର ୨ରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ଭାରତୀୟ ରାଜନୀତିରେ ମହାତ୍ମାଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟାଗ୍ରହକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ଅହିଂସା ମହାମନ୍ତ୍ରରେ ଅନୁପ୍ରାଣିତ କରାଇ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଧୀନତା ସଂଗ୍ରାମରେ ଲିପ୍ତ କରାଇବା ହେଉଛି ମହାତ୍ମା ଗାନ୍ଧୀଙ୍କ ବୈଶିଷ୍ଟ୍ୟ । ଶିକ୍ଷା ଅଧ୍ୟୟନ କରିବା ପାଇଁ ସେ ୧୮୮୮ରେ ଲଣ୍ତନ ଯାଇଥିଲେ । ସେଠାରେ ଆଇନ ପାଠ ସାରି ଦକ୍ଷିଣ ଆଫ୍ରିକାରେ ପେସାଦାର ଜୀବନ ଆରମ୍ଭ କରିବା ବେଳେ ହିଁ ମହାତ୍ମା ଗାନ୍ଧୀଙ୍କ ଭିତରେ ଥିବା ନେତୃତ୍ୱ ନେବା ଗୁଣ ପ୍ରସ୍ପୁଟିତ ହୋଇଥିଲା । ୧୯୧୫ରେ ଭାରତ ଫେରି ଦେଶରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାକୁ ଦେଖି ଏହା ବିରୋଧରେ ଲଢ଼େଇ ପାଇଁ ସେ ଦେଶବାସୀଙ୍କୁ ଏକାଠି କରିଥିଲେ । ୧୯୨୦ ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲଢ଼ିଥିଲା । ଗାନ୍ଧୀଙ୍କ ଏହି ପ୍ରୟାସ ଯୋଗୁଁ ଇଂରେଜମାନଙ୍କୁ ହାର ମାନିବାକୁ ପଡ଼ିଥିଲା ଓ ୧୯୪୭ ଅଗଷ୍ଟ ୧୫ରେ ଆମ ଦେଶ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇଥିଲା । ସ୍ୱାଧୀନ ହେବାର ମାତ୍ର ୫ମାସ ପରେ ୭୮ ବର୍ଷ ବୟସରେ ୧୯୪୮ ମସିହା ଜାନୁଆରୀ ୩୦ରେ ଦିଲ୍ଲୀ ସ୍ଥିତ ଏକ ପ୍ରାର୍ଥନା ଗୃହରେ ନାଥୁରାମ ଗଡ୍ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀଙ୍କର ନିଧନ ହୋଇଥିଲା । ସେହିଦିନଠାରୁ ଦେଶବ୍ୟାପୀ ପ୍ରତିବର୍ଷ ଏହି ଦିନଟି ଶହୀଦ ଦିବସ ଭାବେ ପାଳିତ ହୋଇଆସୁଛି ।
ସେହିପରି ସ୍ୱାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ୧୯୦୪ ମସିହା ଆଜିର ଦିନରେ ସେ ଉତ୍ତରପ୍ରଦେଶର ମୋଗଲସରାଇଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଗାନ୍ଧିଜୀଙ୍କ ଜାତୀୟତାର ପ୍ରେମରେ ସେ ଅନୁପ୍ରାଣିତ ହୋଇଥିଲେ । ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ଶାସ୍ତ୍ରିଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧ ଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ନିଜର ଅତି ସରଳ ଜୀବନଯାପନ ଓ ଉଚ୍ଚ ବିଚାର ପାଇଁ ତାଙ୍କ ପାଖରେ ସମସ୍ତେ ନତମସ୍ତକ ହେଉଥିଲେ । ପ୍ରଧାନମନ୍ତ୍ରୀ କ୍ଷମତାରେ ଥିବାବେଳେ କେବଳ ଭାରତର ନୁହେଁ ବରଂ ପୁରା ବିଶ୍ୱରେ ଶାନ୍ତି, ବିକାଶ ଓ କଲ୍ୟାଣ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଲାଲ ବାହାଦୁର ଶାସ୍ତ୍ରୀ ସବୁବେଳେ କହୁଥିଲେ ଯେ, କୌଣସି ସରକାରଙ୍କ ପ୍ରଥମ କାମ ହେଉଛି ଦେଶର ନାଗରିକଙ୍କୁ ସବୁବେଳେ ଏକତ୍ର କରି ରଖିବା , କାରଣ ନାଗରିକଙ୍କ ଏକତ୍ୱରେ ହିଁ ଦେଶର ସୁରକ୍ଷା ଓ ପ୍ରଗତି ସମ୍ଭବ ବୋଲି ସେ ସବୁବେଳେ କହୁଥିଲେ ।୧୯୬୬ ଜାନୁଆରୀ୧୦ରେ ତାସ୍କେଣ୍ଟ ଚୁକ୍ତିନାମ ସହିତ ଯୁଦ୍ଧ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା । ତା ପରଦିନ ଅର୍ଥାତ୍ ୧୧ ତାରିଖରେ ତାସ୍କେଣ୍ଟଠାରେ ତାଙ୍କର ଅକସ୍ମାତ ମୃତ୍ୟୁ ଘଟିଥିଲା ।