Video: ‘କିଣିବାକୁ ସାହସ ନାହିଁ …’, ଲୋକମାନଙ୍କୁ ଅସହାୟ କରି ଦେଲାଣି ଦେଶରେ ବଢୁଥିବା ଦରଦାମ୍‌; ଆପଣଙ୍କୁ କାନ୍ଦିବାକୁ ବାଧ୍ୟ କରିପାରେ ଏହି ପରିବା ବେପାରିଙ୍କ ଯନ୍ତ୍ରଣା

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିବା ପରେ ବର୍ତ୍ତମାନ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ନଦୀର ଜଳ ସ୍ଥର ବଢିବା ସହିତ ପନିପରିବା ଦରଦାମ୍ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ସେଥିରେ ପୁଣି ସବୁଠୁ ମହଙ୍ଗା ଟମାଟର। ଶହେ, ଦେଢ଼ ଶହ ପରେ ଭାରତର କିଛି ସ୍ଥାନରେ ଏହାର ଦାମ୍ ୨୦୦ ରେ ମଧ୍ୟ ପହଞ୍ଚିଛି । ନିମ୍ନ-ମଧ୍ୟମ ବର୍ଗ ତଥା ଗରିବ ଲୋକମାନଙ୍କ ପାଇଁ ଟମାଟୋ କେ.ଜି. ଆକରେ କିଣିବା ସ୍ୱପ୍ନ ହୋଇଥିବା ବେଳେ ଆବଶ୍ୟକ ପଡ଼ିଲେ ଗୋଟିଏ ଦୁଇଟା କିଣିବାକୁ ବାଧ୍ୟ ହେଉଛନ୍ତି । ଟମାଟୋର ଏତେ ଭାଉ ଦେଖି ଦୋକାନ ବଜାର ରୁ ଅଫିସ ପର୍ଯ୍ୟନ୍ତ ଏହାର ଚର୍ଚ୍ଚା ହେଉଛି ।

ଏଭଳି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଏହି ପ୍ରସଙ୍ଗର ପ୍ରକୃତ ଯନ୍ତ୍ରଣାକୁ ସାମ୍ନାକୁ ଆଣିଛି । ଏହି ଭିଡିଓ ରାଜଧାନୀ ଦିଲ୍ଲୀର ଆଜାଦପୁର ମଣ୍ଡିର ଅଟେ । ପନିପରିବା ମୂଲ୍ୟର ବୃଦ୍ଧିର ବାସ୍ତବତା ଜାଣିବା ପାଇଁ ଏକ ଚ୍ୟାନେଲର ରିପୋର୍ଟର ଏହି ସ୍ଥାନକୁ ପରିଦର୍ଶନ କରିଥିଲେ । ଏହି ସମୟରେ, ଯେତେବେଳେ ସାମ୍ବାଦିକ ଜଣେ ଠେଲା ପରିବା ବେପାରିଙ୍କ ସହ କଥା ହୋଇଥିଲେ, ସେତେବେଳେ ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା । ସେ ଚୁପ୍ ହୋଇ ଯାଇଥିଲେ ଏବଂ ଏହି ନିରବତା ତାଙ୍କର ଅସହାୟତାକୁ ବଖାଣିଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ କିଛି ସମୟ ଚୁପ୍ ହୋଇଯାଉଛନ୍ତି, ଆଉ ବ୍ୟକ୍ତି ଜଣଙ୍କ ସ୍ୱରର ଏହି ଶୂନ୍ୟତା ଯାହା ବର୍ତ୍ତମାନ ସମୟର ମହଙ୍ଗା ମାଡ଼ କିପରି ସାଧାରଣ ଲୋକ ମାନଙ୍କ ଉପରେ ପଡୁଛି ତାହା ବାସ୍ତବରେ ବର୍ଣ୍ଣନା କରୁଛି ।