ସର୍ଭେରୁ ଖୁଲାସା, ଏତିକି ଲୋକଙ୍କ ରୋଷେଇ ଘରୁ ଟମାଟୋ ଉଭାନ୍: ଖାଇବାରେ ପଡ଼ୁନି ବିଲାତି

ନୂଆଦିଲ୍ଲୀ: ଆଜିକାଲି ଟମାଟୋ ଦରବୃଦ୍ଧିକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଦେଶର ବିଭିନ୍ନ ସହରରେ ଟମାଟୋ ଦର ଖୁବ ଉଚ୍ଚରେ ରହିଛି । ଯାହା ଫଳରେ ସାଧାରଣ ଲୋକଙ୍କ ରୋଷେଇ ଘରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଟମାଟୋ ଦରବୃଦ୍ଧି ପରେ ଏହାର କ୍ରୟ ଏବଂ ବ୍ୟବହାରରେ ହୋଇଥିବା ପରିବର୍ତ୍ତନ ଉପରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଟମାଟୋ ମୂଲ୍ୟ ବୃଦ୍ଧି ପାଇବା ପରେ ଅନେକ ଲୋକ ଏହାକୁ ରୋଷେଇ ଘରୁ ହିଁ ଦୂରେଇ ଦେଇଛନ୍ତି । ତେବେ ଅଧିକାଂଶ ଲୋକ ଚଢାଦରରେ ମଧ୍ୟ ଟମାଟୋ କିଣିଥିବା ରେକର୍ଡ କରାଯାଇଛି ।

ଞ୍ଜଭାରତର ୩୪୨ ଜିଲ୍ଲା ଏବଂ ପ୍ରାୟ ୨୨ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେ ଏକ ବଡ଼ ଖୁଲାସା କରିଛି । ଏହି ସର୍ଭେରେ ୬୫ ପ୍ରତିଶତ ପୁରୁଷ ଏବଂ ୩୫ ପ୍ରତିଶତ ମହିଳା ସାମିଲ ହୋଇଥିଲେ । ତେବେ ଏହି ସର୍ଭେରୁ ମିଳିଥିବା ରିପୋର୍ଟ ଅନୁସାରେ, ମୂଲ୍ୟ ବଢିବା ପରେ ପ୍ରାୟ ୪୬ ପ୍ରତିଶତ ପରିବାର ଟମାଟୋ ପାଇଁ ୧୫୦ ଟଙ୍କାରୁ ଅଧିକ ଦେବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟ ପକ୍ଷରେ ହାରାହାରି ୧୪ ପ୍ରତିଶତ ପରିବାର ଟମାଟୋକୁ ବାଏ ବାଏ କହିଛନ୍ତି । ରୋଷେଇ ଘରେ ଟମାଟୋରେ ଖାଦ୍ୟ ତିଆରି ତ ଦୂରର କଥା, ସେମାନେ ଟମାଟୋ କିଣିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ସେହିପରି ୬୮ ପ୍ରତିଶତ ଟମାଟୋ ବ୍ୟବହାର କମ୍ କରି ଦେଇଥିବା ଏହି ସର୍ଭେ ରିପୋର୍ଟରୁ ପ୍ରକାଶ ପାଇଛି । ଞ୍ଜଞ୍ଜଜୁନ୍ ୨୭ ତାରିଖରେ ୧୮% ପରିବାର ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ଟମାଟୋ କିଣୁଥିବା ବେଳେ ଜୁଲାଇ ୧୪ ତାରିଖରେ ଏହି ମୂଲ୍ୟ ୮୭%କୁ ବୃଦ୍ଧି ପାଇଛି । ତେବେ ୧୪% ପରିବାର ସମ୍ପୂର୍ଣ୍ଣ ଟମାଟୋ ଖାଇବା ହିଁ ବନ୍ଦ କରି ଦେଇଛନ୍ତି ।

ସୂଚନା ଅନୁସାରେ, ଜୁନ୍ ୨୪ ତାରିଖରେ ଟମାଟୋ କିଲୋ ପ୍ରତି ୨୦-୩୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ହଠାତ୍ ଏହା ବୃଦ୍ଧି ପାଇ ୧୮୦ ଟଙ୍କାରେ ପହଞ୍ଚିଥିଲା । ଏମିତିକି କିଛି ଭଲ ଏବଂ ସୁସ୍ଥ ବିଲାତିର ମୂଲ୍ୟ ୨୨୦ ଟଙ୍କା ମୂଲ୍ୟରେ ମଧ୍ୟ ବିକ୍ରି କରିଛନ୍ତି ବ୍ୟବସାୟୀ । ତାମିଲନାଡୁ ଏବଂ କେରଳ ଭଳି ସ୍ଥାନରେ ବର୍ତ୍ତମାନ ମଧ୍ୟ ଟମାଟୋ ୧୮୦ ଟଙ୍କାରେ ବିକ୍ରି ହେଉଛି ।