fbpx

କାଲି ପହିଲି ରଜ; ସଜେଇ ହେଉଛି ପୁରପଲ୍ଲୀ, ପିଠାପଣା ଓ ପାନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

Advertisement

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ସଜବାଜ, କାଲି ରାଜ୍ୟର ପୁରପଲ୍ଲୀରେ ପାଳିତ ହେବ ପହିଲି ରଜ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥର ଓଡିଶାରେ ପ୍ରବଳ ଗୁଳୁଗୁଳି ହେବାକୁଥିବାରୁ ସମସ୍ତଙ୍କ ମଧ୍ୟରେ ରଜ ପର୍ବ ପାଳନ ଲାଗି ଟିକେ କମ୍ ଉତ୍ସାହ ଦେଖିବାକୁ ମିଳୁଛି ।

ତଥାପି କାଲି ସକାଳୁ ସକାଳୁ ସମସ୍ତେ ନୂଆ ପୋଷାକ ପିନ୍ଧି ପିଠାପଣା ଖାଇ ରଜଦୋଳିର ମଜା ନେବାଲାଗି ପ୍ରସ୍ତୁତି ହେଲେଣି । ଗାଁଠୁ ସହର ସବୁଠି ରଜ ଉପଲକ୍ଷେ ବିଭିନ୍ନ ସାଂସ୍ଖୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାକୁ ଯୋଜନା ରଖା ଯାଇଛି । କାଲି ଶୁକ୍ରବାର ହୋଇଥିବାରୁ ଆମିଷ ଦୋକାନରେ ବେଶ୍ ଭିଡ ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି । ବିଶେଷ କରି ମାଂସ ଦୋକାନରେ ସକାଳୁ ସକାଳୁ ଲୋକଙ୍କ ଧାଡି ଦେଖିବାକୁ ମିଳିବ ।

ସହରମାନଙ୍କରେ ବିଭିନ୍ନ ସ୍ଥାନରେ ଏବେ ରଜ ପୋଡପିଠା ସହିତ ଅନ୍ୟାନ୍ୟ ସ୍ୱାଦିଷ୍ଟ ପିଠା ମଧ୍ୟ ଉପଲବ୍ଧ ହେଉଛି । ରଜରେ ପାନରେ ବିଶେଷ ମହତ୍ତ୍ୱ ଥିବାରୁ ଆଜିଠାରୁ ବିଭିନ୍ନ ବଜାରରେ ଆକର୍ଷଣୀୟ ,ସ୍ୱାଦିଷ୍ଟ ପାନର ପସରା ବି ମେଲିଯାଇଛି । ପାର୍କମାନଙ୍କରେ ରଜଦୋଳି ଲଗାଯାଇ ସମସ୍ତଙ୍କୁ ଏହାର ଆନନ୍ଦ ଉଠାଇବାର ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.