fbpx

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, କାଲି ଲଘୁଚାପ କ୍ଷେତ୍ର: ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଏହା ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ଆସାନୀର ଗତିପଥ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ବାତ୍ୟା ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଓଡ଼ିଶାବାସୀ ଆଶା ଓ ଆଶଙ୍କାରେ ରହୁଛନ୍ତି ।

ଅନ୍ୟପଟେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ‘ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । କାଳକ୍ରମେ ଏହା ଉତ୍ତର ପଶ୍ଚିମକୁ ଗତିକରି ଅବପାତରେ ପରିଣତ ହେବ । ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇନାହିଁ । ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ୍ ଆକଳନ କରିହେବ ।’

ତୀବ୍ରତା ଓ କେଉଁଠି ଲ୍ୟାଣ୍ଡଫଲ କରିବ, ତାହା ଲଘୁଚାପ ହେଲେ ଜଣାପଡିବ । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ଆମେ ଏହା ଉପରେ ନିରନ୍ତର ଅନୁଧ୍ୟାନ୍ କରୁଛୁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସଠିକ୍ ଆକଳନ କରାଯାଇପାରିବ । ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ, ସେନେଇ ପୂର୍ବାନୁମାନ କରାଯାଇନି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.