fbpx

ଅଧିକ Exercise କଲେ ବି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ! ହୋଇପାରେ ଆଥଲେଟିକ୍ ହାର୍ଟ ସିଣ୍ଡ୍ରୋମ ଭଳି ସମସ୍ୟା

ଓଡ଼ିଶା ଭାସ୍କର: ମଣିଷ ଶରୀରକୁ ସୁସ୍ଥ ଓ ସବଳ ରଖିବା ପାଇଁ ପୁଷ୍ଟିକର ଖାଦ୍ୟପେୟ ସାଙ୍ଗକୁ ଉପଯୁକ୍ତ ବ୍ୟାୟାମ ମଧ୍ୟ ଆବଶ୍ୟକ ହୋଇଥାଏ । ଆମ ଶରୀରକୁ ସର୍ବଦା କର୍ମଚଞ୍ଚଳ ରଖିବା ପାଇଁ ନିୟମିତ ବ୍ୟାୟାମର ଆବଶ୍ୟକତା ରହିଛି । ଏହା ଆମର ମାଂସପେଶୀ ଓ ଅସ୍ଥିଗୁଡ଼ିକୁ ମଜଭୁତ କରିବାରେ ସହାୟକ ହେବା ସହ କୌଣସି ଦୀର୍ଘକାଳୀନ ରୋଗର ଆଶଙ୍କାକୁ ମଧ୍ୟ କମାଇ ଦେଇଥାଏ । ତେବେ ଅଧିକ ବ୍ୟାୟାମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ପ୍ରତ୍ୟେକ ଦିନ ମଧ୍ୟମ ଧରଣର ତଥା ଶରୀର ପାଇଁ ଆବଶ୍ୟକ ମାତ୍ରାରେ ବ୍ୟାୟାମ କରିବା ହିଁ ସବୁଠାରୁ ନିରାପଦ । ବହୁଦିନ ଧରି ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ଆଥଲେଟିକ ହାର୍ଟ ସିଣ୍ଡ୍ରୋମ ଭଳି ସମସ୍ୟା ଦେଖା ଦେଇପାରେ ।

ଆଥଲେଟିକ ହାର୍ଟ ସିଣ୍ଡ୍ରୋମ କ’ଣ?

ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ଆଥଲେଟିକ ହାର୍ଟ ସିଣ୍ଡ୍ରୋମ ନାମକ ଏକ ପ୍ରକାର ହୃଦ ଅବସ୍ଥା ସୃଷ୍ଟି ହୋଇଥାଏ, ଯାହା ଆମ ହୃତପିଣ୍ଡ ପାଇଁ ହାନିକାରକ । ଜଣେ ସପ୍ତାହକୁ ୧୫୦ ମିନିଟ ଧୀର ଚାଲି ପରି ମଧ୍ୟମ ଧରଣର ବ୍ୟାୟାମ କରିବା ଦରକାର କିମ୍ବା ୭୫ ମିନିଟର ଦୌଡ଼ିବା ଭଳି କଠିନ ପରିଶ୍ରମ କରିବା ବିଧେୟ । ଏଥି ସହିତ ସପ୍ତାହକୁ ଦୁଇଥର ମାଂସପେଶୀ ସମ୍ପ୍ରସାରଣ ବ୍ୟାୟାମ କରିବା ମଧ୍ୟ ସ୍ୱାସ୍ଥ୍ୟ ଅନୁକୂଳ । ଏହି ସୀମା ଅତିକ୍ରମ କଲେ ଆମ ହୃତପିଣ୍ଡ ତାହାର ଆକାର ଓ ଆକୃତିକୁ ଧୀରେ ଧୀରେ ବଦଳାଇବା ଆରମ୍ଭ କରିଦେଇଥାଏ । ଫଳରେ ହୃଦପିଣ୍ଡ ତାହାର ସ୍ୱାଭାବିକ କ୍ରିୟାରେ ମଧ୍ୟ ପରିବର୍ତ୍ତନ ଆଣିଥାଏ । ଏହି ଅବସ୍ଥାକୁ ଆଥଲେଟିକ ହାର୍ଟ ସିଣ୍ଡ୍ରୋମ କୁହାଯାଏ । ପେସାଦାର ଦୌଡ଼ାଳିଙ୍କ ପରି ବ୍ୟକ୍ତି ବ୍ୟାୟାମ ପ୍ରବଣ ହୋଇ ସପ୍ତାହକୁ ୧୨ରୁ ୧୫ ଘଣ୍ଟା ଧରି ଏପରି କଠିନ ବ୍ୟାୟାମ କରିଥାନ୍ତି । ବିଶେଷ କରି ସେମାନଙ୍କ ଠାରେ ହିଁ ଏହି ସିଣ୍ଡ୍ରୋମ ଦେଖା ଦେଇଥାଏ । ତେବେ ଏହି ଅବସ୍ଥା ସମସ୍ତଙ୍କ ଠାରେ ସମସ୍ୟା ଆଣିବ ବୋଲି କିଛି ମାନେ ନାହିଁ । ମାତ୍ର ଜଣ ଜଣକ ଠାରେ ଏହା ବିଭିନ୍ନ ହୃଦ ସମସ୍ୟା ସୃଷ୍ଟି କରିଥାଏ ।

ତେବେ ଯୁବାବସ୍ଥାରେ ନିୟମିତ ମଧ୍ୟମ ଧରଣର ବ୍ୟାୟାମ ଜଣକର ହୃତପିଣ୍ଡକୁ ବୃଦ୍ଧାବସ୍ଥାରେ ମଧ୍ୟ ସୁସ୍ଥ ସକ୍ରିୟ ରଖିପାରିବ । ଏହି ସମସ୍ୟା କିମ୍ବା ଜଟିଳତା ଆପଣଙ୍କ ଠାରେ ଦେଖାଦେଲେ ତୁରନ୍ତ ଅଭିଜ୍ଞ ହୃଦରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । କୌଣସି ପରିସ୍ଥିତିରେ ମନଇଛା ଯନ୍ତ୍ରଣା ନିବାରକ ବଟିକା ଗ୍ରହଣ କରନ୍ତୁ ନାହିଁ । ଆପଣଙ୍କର ପଲ୍ସରେଟ, ବ୍ଲଡପ୍ରେସର, ସୁଗାର ସହ ଡାକ୍ତରୀ ପରାମର୍ଶରେ କିଛି ପରୀକ୍ଷା କରିପାରନ୍ତି । ନିଜକୁ ସବୁବେଳେ ସତେଜ ରଖି ସକାରାତ୍ମକ ଭାବନା ସହ ଏକ ଭଲ ରୁଟିନର ଜୀବନକୁ ଆଗେଇ ନିଅନ୍ତୁ ଦେଖିବେ ଏହି ସମସ୍ୟା ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ଠାରୁ ଦୂରେଇ ଯିବ ।

Get real time updates directly on you device, subscribe now.