ପ୍ରତିଶୋଧର ନିଆଁ! ଚାଲିଗଲା 2 ଜୀବନ
ଭଉଣୀ ମୃତ୍ୟୁର ପ୍ରତିଶୋଧ ପାଇଁ ଭାଇମାନେ ନେଲେ ଚରମ ପଦକ୍ଷେପ, ବାପା ଓ ପୁଅଙ୍କୁ ପଥରରେ ବାନ୍ଧି କୂଅରେ ଫିଙ୍ଗିଦେଲେ
ମଧ୍ୟପ୍ରଦେଶ: ପ୍ରତିଶୋଧର ନିଆଁ ନେଇଗଲା 2 ଜୀବନ। ବାପ ପୁଅଙ୍କୁ ପଥରରେ ବାନ୍ଧି କୂଅରେ ଫିଙ୍ଗିଦେଲେ ଯୁବକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ବପୁରୀର ପିଚୋର ଥାନା ଅଞ୍ଚଳର କଛୁଆ ଗାଁରେ। ଏହି ଗାଁରେ ଜଣେ ବାପା ଏବଂ ପୁଅ ନିଖୋଜ ହୋଇଯାଇଥିଲେ, ଯାହାଙ୍କ ମୃତଦେହ ଫିଲ୍ଡ ଫାୟାର ରେଞ୍ଜରେ ଥିବା ଏକ କୂଅରୁ ମିଳିଥିଲା।
ଉଭୟଙ୍କ ମୃତଦେହ ପଥରରେ ବାନ୍ଧି କୂଅରେ ଫିଙ୍ଗି ଦିଆଯାଇଥିଲା। ପୋଲିସ ବାପା ଏବଂ ପୁଅଙ୍କ ମୃତଦେହ ଉଦ୍ଧାର କରି ସାତ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି।
ପ୍ରକୃତରେ, କଛୁଆ ଗାଁର ବାସିନ୍ଦା 50 ବର୍ଷୀୟ ହରଗୋବିନ୍ଦ ଲୋଧି ଏବଂ ତାଙ୍କ 24 ବର୍ଷୀୟ ପୁଅ ପୁଷ୍ପେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ସେମାନଙ୍କ ଚାଷ ଜମିକୁ ଯାଇଥିଲେ, କିନ୍ତୁ ରାତିରେ ଫେରି ନଥିଲେ। ଶନିବାର ଦିନ ସେମାନଙ୍କୁ ଖୋଜାଖୋଜି କରିବା ସମୟରେ ଫାର୍ମରେ ସେମାନଙ୍କର ରକ୍ତଭିଜା ଚପଲ ଏବଂ ଭଙ୍ଗା ମୋବାଇଲ୍ ମିଳିଥିଲା।
ହରଗୋବିନ୍ଦଙ୍କ ପରିବାର, ସଦସ୍ୟ ଉଭୟଙ୍କୁ ଅପହରଣ ଏବଂ ହତ୍ୟା କରାଯାଇଥିବା ଆଶଙ୍କା ପ୍ରକାଶ କରିଥିଲେ ଏବଂ ରାଜପୁର ଗ୍ରାମର ଜ୍ଞାନଚନ୍ଦ୍ର ଲୋଧି, ପୁଷ୍ପେନ୍ଦ୍ର ଲୋଧି, ବିଜୟ ଭାନ ଲୋଧି, ମହେନ୍ଦ୍ର ଲୋଧି, ଦିନେଶ ଲୋଧି, ଅନିଲ ଲୋଧି ଏବଂ ରୁବି ଲୋଧିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ।
କୂଅରୁ ମୃତଦେହ ଉଦ୍ଧାର: ଯେତେବେଳେ ପୋଲିସ ସନ୍ଦେହ କରାଯାଇଥିବା ଯୁବକମାନଙ୍କୁ ଏ ବିଷୟରେ ପଚାରିଥିଲେ ସେତେବେଳେ ସେମାନେ ପ୍ରଥମେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ପିତା ଏବଂ ପୁଅଙ୍କୁ ହତ୍ୟା କରିବାର ଅପରାଧ ସ୍ୱୀକାର କରିଥିଲେ।
ସେମାନେ କହିଥିଲେ ଯେ, ପିତା ଏବଂ ପୁଅଙ୍କୁ ହତ୍ୟା କରିବା ପରେ ସେମାନେ ସେମାନଙ୍କ ମୃତଦେହକୁ ଏକ ଟ୍ରଲିରେ ଜଙ୍ଗଲକୁ ନେଇଯାଇଥିଲେ। ତା’ପରେ ପଥର ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ।
ଭଉଣୀ ମୃତ୍ୟୁର ପ୍ରତିଶୋଧ: ପୋଲିସ କହିବା ଅନୁସାରେ, ଅଭିଯୁକ୍ତ ମାନେ କହିଥିଲେ ଯେ 2020 ମସିହାରେ ହରଗୋବିନ୍ଦ ସେମାନଙ୍କ ଭଉଣୀ ଅଭିଳାଷାଙ୍କୁ ଅପହରଣ କରିଥିଲେ। ସେଥିପାଇଁ POCSO ଆଇନ ଅନୁଯାୟୀ ହରଗୋବିନ୍ଦଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଏହା ପରେ, ଅଭିଳାଷାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା।
ମାମଲାରେ ଚାରି ବର୍ଷ ଶୁଣାଣି ପରେ ପ୍ରମାଣ ଅଭାବରୁ କୋର୍ଟ ଗତ ବର୍ଷ ହରଗୋବିନ୍ଦଙ୍କୁ ମୁକ୍ତ କରିଥିଲେ। ଯାହା ଜ୍ଞାନ ସିଂହ ଲୋଧି ଏବଂ ତାଙ୍କ ପରିବାର ପାଇଁ ଗ୍ରହଣୀୟ ନଥିଲା। ଏପରି ପରିସ୍ଥିତିରେ, ନିଜ ଭଉଣୀର ଅପହରଣ ଏବଂ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ, ସେମାନେ ହରଗୋବିନ୍ଦ ଏବଂ ତାଙ୍କ ପୁଅକୁ ହତ୍ୟା କରିଥିଲେ।