ଟ୍ରାଇର ବଡ଼ ନିଷ୍ପତି: Jio-Airtel-VI-BSNL ବ୍ୟବହାରକାରୀ ଜାଣନ୍ତୁ ଏହି ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଏକ ବଡ଼ ପରିବର୍ତ୍ତନ କରିଛି, ଯାହା ଅଧୀନରେ ଟେଲିକମ୍ କମ୍ପାନିଗୁଡ଼ିକୁ ଓଟିପି ଅର୍ଥାତ୍ ୱାନ୍ ଟାଇମ୍ ପାସୱାର୍ଡ ଆଧାରିତ ମେସେଜ୍ ଟ୍ରାକିଂ ପାଇଁ ଟ୍ରେସେବିଲିଟି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ ଲାଇନ୍ ଠକେଇ ଓ ଠକେଇରୁ ରକ୍ଷା କରିବା ହେଉଛି ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ଏହି କାରଣରୁ ଜିଓ, ଏୟାରଟେଲ, ଭିଆଇ ଏବଂ ବିଏସଏନଏଲ ର ଉପଭୋକ୍ତାଙ୍କୁ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିପାରେ । ଆଜିକାଲି ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ର ବ୍ୟବହାର ବଢ଼ୁଥିବା ବେଳେ ସାଇବର ଅପରାଧ ଓ ଅନଲାଇନ୍ ଠକେଇ ଘଟଣା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଠକମାନେ ଏବେ ଓଟିପି ଓ ଅନ୍ୟାନ୍ୟ ମେସେଜ୍ ବ୍ୟବହାର କରି ୟୁଜର୍ସଙ୍କୁ ଠକି ନେଉଛନ୍ତି। ଏହାର ମୁକାବିଲା ପାଇଁ ଟ୍ରାଇ ଏକ ନୂଆ ପଦକ୍ଷେପ ନେଇଛି। ଏହା ଅଧୀନରେ ସମସ୍ତ ଟେଲିକମ୍ କଂପାନିକୁ ଓଟିପି ଏବଂ ଅନ୍ୟାନ୍ୟ ବ୍ୟବସାୟିକ ମେସେଜ୍ ଟ୍ରାକ୍ କରିବାକୁ ପଡ଼ିବ, ଯାହାଦ୍ୱାରା ଠକମାନେ ଏହି ମେସେଜର ଅପବ୍ୟବହାର କରିପାରିବେ ନାହିଁ। ପୂର୍ବରୁ ଟ୍ରାଇ ଏହି ନିୟମକୁ ଅକ୍ଟୋବର ୩୧ ସୁଦ୍ଧା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଟେଲିକମ୍ କଂପାନିଗୁଡ଼ିକର ଚାହିଦା କୁ ଦୃଷ୍ଟିରେ ରଖି ଏହାକୁ ନଭେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ୧ ଡିସେମ୍ବର ୨୦୨୪ରୁ ସମସ୍ତ ଟେଲିକମ କମ୍ପାନୀ ଏହି ନିୟମ ଲାଗୁ କରିବେ ।

ଅର୍ଥାତ୍ ଓଟିପି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଆସିବାରେ କିଛି ବିଳମ୍ବ ହୋଇପାରେ, କାରଣ ସେଗୁଡ଼ିକଟ୍ରାକ୍ ହେବ ଏବଂ ଏହି ପ୍ରକ୍ରିୟା ରେ କିଛି ସମୟ ଲାଗିପାରେ । ଏହି ପରିବର୍ତ୍ତନ ଯୋଗୁଁ ଯଦି ଆପଣଙ୍କୁ ବ୍ୟାଙ୍କିଙ୍ଗ, ଟିକେଟ ରିଜର୍ଭେସନ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପାଇଁ ଓଟିପି ମିଳେ ତେବେ ଏଥିରେ ଟିକିଏ ବିଳମ୍ବ ହୋଇପାରେ । ତେବେ ଏହାର ସବୁଠାରୁ ବଡ଼ ଫାଇଦା ହେଉଛି ଏବେ ଠକମାନେ ଓଟିପି ଜରିଆରେ ଠକେଇ କରିପାରିବେ ନାହିଁ, ଯାହା ଆପଣଙ୍କ ଅନଲାଇନ୍ ସିକ୍ୟୁରିଟିକୁ ବଢ଼ାଇବ। ବିଶେଷ କରି ନକଲି ଓଟିପି ମେସେଜ୍ ଯୋଗୁଁ ହେଉଥିବା ଠକେଇକୁ ରୋକିବା ପାଇଁ ଟ୍ରାଇର ଏହି ପଦକ୍ଷେପ ନିଆଯାଇଛି।

ଏଭଳି ମେସେଜ୍ ଜରିଆରେ ଠକମାନେ ୟୁଜର୍ସଙ୍କ ଡିଭାଇସ୍ ଆକସେସ୍ କରିବା ସହ ସେମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇଥାନ୍ତି। ଏବେ ଟେଲିକମ୍ କଂପାନିଗୁଡ଼ିକ ଏହି ମେସେଜ୍ କୁ ଟ୍ରାକ୍ କରିବେ, ଯାହାଦ୍ୱାରା ଏଭଳି ଅପରାଧକୁ ରୋକାଯାଇପାରିବ। ଏହି ପରିବର୍ତ୍ତନ ପରେ ଯଦିଓ ଓଟିପି ମେସେଜରେ ସାମାନ୍ୟ ବିଳମ୍ବ ହୋଇପାରେ ତଥାପି ୟୁଜର୍ସଙ୍କୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ଅନୁଭୂତି ମିଳିବ । ଏହାର ଉଦ୍ଦେଶ୍ୟ ହେଉଛି ଅନଲାଇନ୍ ଠକେଇକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଯାହା ଦ୍ୱାରା ଟେଲିକମ୍ ଉପଭୋକ୍ତାମାନେ ସୁରକ୍ଷିତ ରହିପାରିବେ ।