ତଦନ୍ତ ରିପୋର୍ଟରୁ ହେଲା ବଡ଼ ଖୁଲାସା: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ୍ ତ୍ରୁଟି, ଅବହେଳା କରିଥିଲେ ଷ୍ଟେସନ ମାଷ୍ଟର
ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ପଛର ମୁଖ୍ୟ କାରଣ ହେଉଛି ସିଗନାଲ୍ ତ୍ରୁଟି । ତଦନ୍ତ ସମୟରେ ସିଗନାଲିଂ ଏବଂ ଟେଲିକମ୍ ଯୋଗାଯୋଗ ବିଭାଗରେ ବିଭିନ୍ନ ସ୍ତରରେ ତ୍ରୁଟି ଥିବା ଦେଖିବାକୁ ମିଳିଛି । ଏଥିରେ ଆହୁରି କୁହାଯାଇଛି ଯେ ଯଦି ପୂର୍ବରୁ ଚେତାବନୀ ସିଗନାଲ ଦିଆଯାଇଥାନ୍ତା ତେବେ ଏତେବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥାନ୍ତା ।
ରେଳ ସୁରକ୍ଷା ଆୟୋଗ (ସିଆର୍ଏସ୍) ଦ୍ୱାରା ରେଳ ବୋର୍ଡରେ ଦାଖଲ କରାଯାଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ଷ୍ଟେସନ ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗରେ ତ୍ରୁଟି ହୋଇଥିଲା । ତେବେ ସେଦିନ ସିଗନାଲରେ ଦେଖା ଦେଇଥିବା ଅସ୍ୱଭାବିକତା ପ୍ରତି ଷ୍ଟେସନ ମାଷ୍ଟର ସତର୍କ ହୋଇଥିଲେ ଦୁର୍ଘଟଣାକୁ ଏଡ଼ାଇ ହୋଇ ପାରିଥାନ୍ତା । ହେଲେ ତାଙ୍କ ସାମ୍ନାରେ ତ୍ରୁଟି ହୋଇଥିଲେ ବି ଅଣଦେଖା କରିଥିଲେ ।
ସ୍ୱାଭାବିକ ଭାବେ ଇଲେକ୍ଟ୍ରନିକ୍ ଇଣ୍ଟର ଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ ୧୪ ସେକେଣ୍ଡରେ ସିଗ୍ନାଲ ପରିବର୍ତ୍ତନ ହେବା କଥା, ହେଲେ ଦୁର୍ଘଟଣା ଦିନ ସିଗ୍ନାଲରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା । ୧୪ ସେକେଣ୍ଡ ବଦଳରେ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ଲାଗିଥିଲା । ଷ୍ଟେସନ ମାଷ୍ଟର ଏସ.ବି. ମହାନ୍ତି ଏହାକୁ ଅଣଦେଖା କରିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଇଏଲ୍ବି ପରିବର୍ତ୍ତନ ବେଳେ ସିଗନାଲିଂ ସର୍କିଟରେ ପରିବର୍ତ୍ତନ ଅନ୍ୟ ଏକ କାରଣ ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଭୁଲ ତାର ଓ କେବୁଲ ତ୍ରୁଟି ହେତୁ ମେ ୧୬, ୨୦୨୨ ରେ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ଖଡ଼ଗପୁର ଡିଭିଜନର ବ୍ୟାଙ୍କାର୍ନାବାଜ ଷ୍ଟେସନରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏଥିରେ କୁହାଯାଇଛି ଯେ ଭୁଲ ୱାରିଙ୍ଗ ସମସ୍ୟାର ସମାଧାନ ପାଇଁ ଘଟଣା ପରେ ଯଦି ସଂଶୋଧନମୂଳକ ପଦକ୍ଷେପ ନିଆଯାଇଥାନ୍ତା, ତେବେ ବାହାନଗା ବଜାର ରେଳ ଷ୍ଟେସନରେ ଦୁର୍ଘଟଣା ଘଟି ନଥାନ୍ତା । ୨ ଜୁନ୍ ରେ ଘଟିଥିବା ଏହି ଦୁର୍ଘଟଣାରେ ୨୯୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।