ଆଶ୍ଚର୍ଯ୍ୟଜନକ ଘଟଣା: ଚା’ ପିଇବାକୁ ଚାଲିଗଲା ଡ୍ରାଇଭର, ହଠାତ୍ ଟ୍ରେନଟି ଆପେଆପେ ଦ୍ରୁତ ବେଗରେ ମାଡ଼ି ଚାଲିଲା ୮୪ କିମି
ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୨ ତାରିଖରେ ଓଡ଼ିଶାର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ତେଣୁ ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ଟ୍ରେନ ଦୁର୍ଘଟଣା ଘଟିଲେ ଅତୀତର ସେଇ କାଳରାତ୍ରି କଥା ଅଚାନକ ମନେପଡ଼ିଯାଉଛି । ତେବେ ଏହା ମଧ୍ୟରେ ପଞ୍ଜାବରୁ ଆସିଛି ଏକ ବଡ଼ ଖବର । ଗୋଟିଏ ମାଲବାହୀ ଟ୍ରେନ ବିନା ଡ୍ରାଇଭରରେ ୮୪ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଏହି ଘଟଣାକୁ ନେଇ ରେଳ ବିଭାଗରେ ହଡ଼କମ୍ପ ମଚିଯିବା ସହିତ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ମୁତାବକ, ଜମ୍ମୁ କଶ୍ମୀରର କଠୁଆ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ି ଅଚାନକ ପଠାନକୋଟ ଆଡ଼କୁ ଯାତ୍ରା କରିଥିଲା । ଟ୍ରେନଟି ବିନା ଡ୍ରାଇଭରରେ ଆଗକୁ ମାଡ଼ି ଚାଲିଥିଲା । ଏପରି ଭାବେ ଟ୍ରେନଟି ୮୪ କିମି ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବା ପରେ ଟ୍ରେନକୁ ପଞ୍ଜାବର ମୁକେରିଆଁ ଠାରେ ରୋକା ଯାଇଥିଲା । ଆଜି ସକାଳ ୭.୧୦ ସମୟରେ ଏହି ଅଘଟଣ ଘଟିଥିଲା । ତେବେ ଡ୍ରାଇଭରଟି ଚା’ ପିଇବାକୁ ଯାଇଥିବା ବେଳେ ଟ୍ରେନଟି ଅଚାନକ ଗଡ଼ିବାରେ ଲାଗିଥିଲା । ଧୀରେଧୀରେ ଟ୍ରେନର ଗତି ବଢ଼ିବାରେ ଲାଗିଥିଲା ।
ତେବେ ମାଲଗାଡ଼ିରେ କଂକ୍ରିଟ ବୋଝେଇ ହୋଇଥିଲା ଓ ତାହାକୁ କଠୁଆରେ ଲୋଡ଼ କରାଯାଇଥିଲା । ଡ୍ରାଇଭର ଚା’ ପିଇବାକୁ ଯିବା ସମୟରେ ଟ୍ରେନଟିର ଇଞ୍ଜିନ ଚାଲୁ ରହିଥିଲା । ଟ୍ରେନରୁ ଓହ୍ଲାଇବା ସମୟରେ ଡ୍ରାଇଭର ହ୍ୟାଣ୍ଡବ୍ରେକକୁ ଟାଣିନଥିଲେ ବୋଲି ଏକ ସୂତ୍ରରୁ କୁହାଯାଇଛି । ଟ୍ରେନକୁ ବିନା ଡ୍ରାଇଭରରେ ଆଗକୁ ମାଡ଼ି ଚାଲିଥିବା ବେଳେ ଯଦି ବିପରୀତ ଦିଗରୁ ଅନ୍ୟ ଟ୍ରେନ ଆସୁଥାନ୍ତା ତେବେ ନିଶ୍ଚିତ ଭାବେ ଏକ ବଡ଼ ଅଘଟଣ ଘଟିଥାନ୍ତା । ଏହି ଘଟଣାରେ କେହି ମୃତାହତ ହୋଇନଥିବା କୁହାଯାଇଛି ।