fbpx
BJD
BJD SKY
BJD SKY

ପୁଣି ଚର୍ଚ୍ଚାରେ ପରିବହନ କମିସନର ଅମିତାଭ ଠାକୁର; ପିଅନଙ୍କ ଅବସରରେ ଦେଖାଇଲେ ମହାନତା

ସମସ୍ତ ଅଫିସରଙ୍କ ଉପସ୍ଥିତିରେ ଦିଆଗଲା ବିଦାୟ ସମ୍ବର୍ଦ୍ଧନା, ଭାବବିହ୍ୱଳ ହୋଇଗଲେ ରିଆଜଉଲ୍ ହକ୍

ଭୁବନେଶ୍ୱର: କିଛି ଦିନ ତଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ଡିଜିପି ଅରୁଣ ଷଡ଼ଙ୍ଗୀ ଜଣେ ଝାଡ଼ୁଦାରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାର ଫଟୋ । ଏବେ ସେମିତି ମହାନତା ଦେଖାଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଦୀର୍ଘ ଦିନ ଧରି ରାଜ୍ୟ ପରିବହନ ପ୍ରାଧିକରଣରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ସେବା ଦେବା ପରେ ଆଜି ଥିଲା ରିଆଜଉଲ ହକଙ୍କ ଚାକିରି ଜୀବନର ଶେଷ ଦିନ । ଏହାସହ ଆଜି ମଧ୍ୟ ଚାକିରିରୁ ଅବସର ନେଇଥିଲେ ଅତିରିକ୍ତ ପରିବହନ କମିସନର (ବୈଷୟିକ) ଧନଞ୍ଜୟ ସେନାପତି । ଏହି ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ସ୍ଥିର କରିଥିଲେ ପରିବହନ କମିସନର । ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଚୌକି ପାଖରେ ରିଆଜଙ୍କ ଚୌକି ପକାଇବାକୁ କହିଥିଲେ ।

ଏହା ଶୁଣି ରିଆଜ ପଛେଇ ପଛେଇ ରହିଥିଲେ । ହେଲେ ଅମିତାଭ ତାଙ୍କୁ ପାଖକୁ ଡାକି ବସାଇଥିଲେ । ବିଦାୟ ଅବସରରେ ଅନେକ ସହକର୍ମୀ ଧନଞ୍ଜୟଙ୍କ ସହ ରିଆଜଙ୍କ ସେବାକୁ ବି ମନେ ପକାଇଥିଲେ । ଏସବୁ ଦେଖି ବେଶ୍ ଭାବବିହ୍ୱଳ ହୋଇଯାଇଥିଲେ ରିଆଜ । ଏପିରିକି ତାଙ୍କୁ ମଧ୍ୟ ନିଜ କଥା ରଖିବାକୁ ପରିବହନ କମିସନର କହିଥିଲେ । ତାଙ୍କୁ ମିଳିଥିବା ସମ୍ମାନ କଥା ସେ କେବେ ବି ସ୍ୱପ୍ନରେ ବି ଭାବି ନ ଥିଲେ । ଏଥିପାଇଁ ସେ ପରିବହନ କମିସନରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଅମିତାଭ ଠାକୁର ଉଭୟ ଧନଞ୍ଜୟ ଓ ରିଆଜଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ । ସେମାନଙ୍କ ଦୀର୍ଘବର୍ଷର ଉଲ୍ଲେଖନୀୟ ସେବା ପାଇଁ ଧନ୍ୟବାଦ ଜଣାଇଥିଲେ । ରିଆଜଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ଉପହାର ଦେଇଥିଲେ ।

Get real time updates directly on you device, subscribe now.