fbpx

ଟ୍ରକକୁ ପଛରୁ ପଟିଲା ଦେଲା ହାଇୱା, ୩ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ଡ୍ରାଇଭର

ଯୋଡା (ଭାସ୍କର ନ୍ୟୁଜ୍‌): ୫୨୦ନଂ ଜାତୀୟ ରାଜପଥର କାର୍ଯ୍ୟ ସରିବାକୁ ବସିଥିବା ବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ରାଜପଥ ଉପରେ ଦୁର୍ଘଟଣା ବଢିବାରେ ଲାଗିଛି । ରାଜପଥର ରଣାଶାଳ ଘାଟି ଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏକ ଲୁହାପଥର ବୋଝେଇ ହାଇୱା ଟ୍ରକ ଅନ୍ୟ ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ହାଇୱାଟି ରାସ୍ତା କଡକୁ ଖସିଡିଥିଲା । ଏହାର ଚାଳକ ବାଲେଶ୍ୱର ମୁଣ୍ଡା ଗୁରୁତର ଅବସ୍ଥାରେ ରହିଥିବା ବେଳେ ଯୋଡା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ୩ ଘଣ୍ଟାର ପ୍ରଚେଷ୍ଟା ପରେ ଚାଳକଟିକୁ ଗ୍ୟାସ କଟରରେ କେବିନ କାଟି ଉଦ୍ଧାର କରାଯାଇଥିଲା ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ସାମନାରେ ଥିବା ୧୨ ଚକିଆ ଟ୍ରକଟିର ଚେସିସ୍‌ ବଙ୍କା ହୋଇଯିବା ସହ ୪ଟି ଚକ ବାହାରିଯାଇଥିଲା । ତେବେ ଅଳ୍ପକେ ଏହାର ଚାଳକ ବର୍ତ୍ତିଯାଇଥିଲେ । ଉଦ୍ଧାର ଚାଳକକୁ ତୁରନ୍ତ ସ୍ଥାନୀୟ ଟାଟା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ତାଙ୍କର ଅବସ୍ଥାରେ ଗୁରୁତର ଥିବା ଜଣାପଡିଛି । ବେପରୁଆ ଟ୍ରକ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଉଛି । ତେବେ ଦୁର୍ଘଟଣା ଘଟାଇଥିବା ହାଇୱା ନଂ. ଓଡି୧୪ପି- ୨୬୩୫ଟି ସୁନ୍ଦରଗଡ ଜିଲା ରାଉରକେଲାରରେ ପଞ୍ଜିକୃତ ହୋଇଥିବା ବେଳେ ଏହାର ମାଲିକ ଭରତ ବାରିକ୍‌ ବୋଲି ଜଣାପଡିଛି । ସେହପରି ୧୨ ଚକିଆ ଟ୍ରକ ନଂ. ଓଡି୦୯ଏମ୍‌-୮୮୪୫ ଥିବା ବେଳେ ଏହାର ମାଲିକ ବାମେବାରି, ବେଲଦା ଗ୍ରାମର କୁଳମଣି ମହାକୁଡ ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇଥିବା ହାଇୱାଟି ସୁନ୍ଦରଗଡ ଜିଲା ବଣେଇରୁ ଲୁହାପଥର ବୋଝେଇ କରି ବଡବିଲର ଗିରିୱାଲ କାରଖାନାକୁ ଯାଉଥିବା ବେଳେ ତାହା ଗିରିୱାଲ କାରଖାନାକୁ ନଯାଇ ଜାତୀୟ ରାଜପଥ-୫୨୦ରେ ଯାଉଥିବାରୁ ଏହି ଲୁହାପଥର ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.