ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଆମେରିକାର ସ୍ଥିତି ବିଗିଡିବ କି ଆହୁରି ସୁଧୁରିବ ତାହା ଆଗାମୀ ଭବିଷ୍ୟତରେ ଜଣାପଡ଼ିବ । କିନ୍ତୁ ଆମେରିକାର ଅର୍ଥବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଟ୍ରମ୍ପ ଏବେ ଅଣ୍ଟା ଭିଡିଛନ୍ତି । ଆମେରିକା ସରକାରରେ ଅଲୋଡା ହୋଇଯିବେ ବୁ୍ୟରୋକ୍ରାଟ୍ସ । ଏହି ଆଇଏଏସ୍ ଓ ଆଇପିଏସ୍ ସ୍ତରୀୟ ଅଫିସରଙ୍କ ସ୍ଥାନ ଖାଲି କରିବାକୁ ଯାଉଛନ୍ତି ଟ୍ରମ୍ପ । ଏ ନେଇ ସେ ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିସିଏନ୍ସି(ଡିଓଜିଇ) ନାମରେ ଏକ ବିଭାଗ ସୃଷ୍ଟି କରିଛନ୍ତି । ଯାହାର ଦାୟିତ୍ୱ ଭାର ଏଲନ ମସ୍କ ଏବଂ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱମୀଙ୍କୁ ଦେଇଛନ୍ତି । ଏ ବିଭାଗର ମୂଳ ଲକ୍ଷ ହେଉଛି ଅଦରକାରୀ ବୁ୍ୟରୋକ୍ରାଟ୍ସଙ୍କୁ ସେବା ନିବୃତ୍ତ କରିବା ।
ଡିଓଜିଇ ଗଠନ ପଛର ରହସ୍ୟ ସରକାରୀ ଖର୍ଚ୍ଚ କମାଇବା । ଆମେରିକା ସରକାର ଅଧିନରେ ପାଖାପାଖି ୩୦ ଲକ୍ଷ ଲୋକ କାମ କରୁଛନ୍ତି । ସେମାନଙ୍କ ଦରମା ବାବଦକୁ ୬.୭ ଟ୍ରିଲିୟନ୍ ଡଲାର ସରକାରଙ୍କ ରାଜସ୍ୱରୁ ଖର୍ଚ୍ଚ ହେଉଛି । ଏ ଖର୍ଚ୍ଚରୁ ୨ ଟ୍ରିଲିୟନ୍ ଡଲାର କମାଇବା ପାଇଁ ଟ୍ରମ୍ପ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ୨୦୨୬ ଜୁଲାଇ ୪ ତାରିଖ ବେଳକୁ ଟ୍ରମ୍ପଙ୍କ ଟାର୍ଗେଟ୍ ପୂରା ଦେବା ନେଇ ସେ ଆଶା ରଖିଛନ୍ତି । ସେପଟେ ଡିଓଜିଇରେ ଚାକିରି କରିବା ପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିବା ପାଇଁ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି । ବିଶେଷ କରି ଯେଉଁ ବ୍ୟକ୍ତିର ହାଇ ଆଇକୁ୍ୟ ବା ତିକ୍ଷଣ ଦୂରଦୃଷ୍ଟି ଥିବ ଏବଂ ସାପ୍ତାହିକ ୮୦ ଘଣ୍ଟା କାର୍ଯ୍ୟ କାରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି ହିଁ ଚାକିରି ପାଇଁ ଆବେଦନ କରିପାରିବେ । ପଦ ପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ନାହିଁ । ଏକ୍ସର ଭେରିଫାଏଡ୍ ୟୁଜର ଏବଂ ପ୍ରିମିୟମ ସବସ୍କ୍ରିପଶନ୍ ନେଇଥିବା ବ୍ୟକ୍ତି ହିଁ ସିଧାସଳଖ ନିଜ ରିଜୁ୍ୟମ ମସ୍କଙ୍କୁ ଡିଏମ୍ କରିପାରିବେ ବୋଲି ସେ କହିଛନ୍ତି । ଶେଷରେ ମସ୍କ ଏବଂ ରାମସ୍ୱାମୀ ବାଛିଥିବା ଆବେଦନକାରୀଙ୍କୁ ହିଁ ଚାକିରି ମିଳିବ । ମସ୍କ ଆମେରିକା ସରକାରରେ ସାମିଲ ହେବା ପରେ ଏକ୍ସ ଭଳି କାର୍ମଚାରୀ ଛଟେଇ କରିବେ ବୋଲି ଚର୍ଚ୍ଚା ହେଉଛି । କାରଣ ମସ୍କ ଟୁଇଟର କିଣିବା ପରେ କମ୍ପାନୀର ୭୫% କର୍ମଚାରୀଙ୍କୁ ବାହାର କରିଦେଇଥିଲେ।