କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ତଥ୍ୟ: ବାୟୁ ପ୍ରଦୂଷଣ କବଳରେ ରାଜ୍ୟର ୧୨ଟି ସହର, ନାକ ଓ ପାଟି ଦେଇ ଧୂଳିକଣା ଶରୀରକୁ ଯାଉଛି, ବଢ଼ୁଛି ଥଣ୍ଡା ଓ ଛାତିରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାୟୁ ପ୍ରଦୂଷଣକୁ ନେଇ ଗତବର୍ଷ କିଛି ରିପୋର୍ଟ ସାମ୍ନାକୁ ଆସିଥିଲା । ବିଶେଷ କରି ଗତ ୮ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁର ସ୍ତର ଭଲ ସ୍ତରରେ ନଥିବା ନେଇ ୨୦୨୨ ମସିହା ଡିସେମ୍ବର ମାସରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରିପୋର୍ଟ ଜାରି କରାଯାଇଥିଲା । ପ୍ରଦୂଷଣ କାରଣରୁ କ୍ୟାନସର ଭଳି ମହାମାରୀ ବ୍ୟାପୁଥିବା ନେଇ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ । ବାୟୁ ପ୍ରଦୂଷଣ କବଳରେ ରାଜ୍ୟର ୪ଟି ସହର ରହିଥିବା କୁହାଯାଇଥିଲା ।

ତେବେ ବାୟୁ ପ୍ରଦୂଷଣ କବଳରେ ରାଜ୍ୟର ୧୨ଟି ସହର ରହିଥିବା ନେଇ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରିପୋର୍ଟରେ କୁହାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ରାଜ୍ୟର ସ୍ଥିତି ମଧ୍ୟ ସଙ୍କଟଜନକ ସ୍ଥିତିରେ ରହିଛି । ରାଜ୍ୟର ୧୨ଟି ସହର ବାୟୁ ପ୍ରଦୂଷଣ କବଳରେ ରହିଛି । ଗତ ୩୦ ତାରିଖରେ ଦିଲ୍ଲୀର ପିଏମ୧୦ ୪୦୦ ରହିଥିବା ବେଳେ ଦାମନଯୋଡ଼ିର ପିଏମ୧୦ ୩୭୦, କେନ୍ଦୁଝରର ପିଏମ୧୦ ୩୧୮, ଅନୁଗୁଳର ପିଏମ୧୦ ୩୨୦ ରହିଥିଲା । ସେହିପରି ନୟାଗଡ଼, ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର, କଟକ, ତାଳଚେର, କଟକ, ବଡ଼ବିଲ, ଭୁବନେଶ୍ୱରର ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି । ରାଜ୍ୟର ଅନେକ ସହରର ବାୟୁ ଗୁଣବତ୍ତା ମାନକ (ଏକ୍ୟୁଆଇ) ୩୦୦ ଉପରେ ରହିଛି ।

ତେବେ କଟକ, ଭୁବନେଶ୍ୱରରେ ବଡ଼ ବଡ଼ ଅଟ୍ଟାଳିକା ସାଙ୍ଗକୁ ବ୍ୟାପକ ଗାଡ଼ି ମୋଟର ବ୍ୟବହାର, ସଡ଼କ ନିର୍ମାଣ କାରଣରୁ ବାୟୁ ପ୍ରଦୂଷଣ ବଢ଼ୁଥିବା ପରିବେଶବିତମାନେ ମତ ଦେଇଛନ୍ତି । କିଛି ସହରରେ କଳକାରଖାନା ନଥିଲେ ବିଁ ବାୟୁ ପ୍ରଦୂଷଣ ସଙ୍ଗୀନ ରହିଛି । ସହରଗୁଡ଼ିକରେ ଧୂଳିକଣା ଉଡ଼ୁଥିବା ବେଳେ ନିଃଶ୍ୱାସ-ପ୍ରଶ୍ୱାସରେ ନାକ ଓ ପାଟି ଭିତରକୁ ଧୂଳି ଯାଉଛି । ଫଳରେ ମାସ ମାସ ଧରି ଥଣ୍ଡା ଛାଡ଼ୁନି, ଛାତକି ରୋଗ ହେବା ସହିତ ବୟସ୍କ ଓ ଶିଶୁ ଏଥିରୁ ବାଦ୍ ପଡ଼ୁନାହାନ୍ତି । ତେବେ ରାଜଧାନୀର ୬ଟି ସ୍ଥାନରେ ବାୟୁ ପ୍ରଦୂଷଣ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ବେଳ ଥାଉଥାଉ ସଜାଗ ନହେଲେ ରାଜ୍ୟର ବାୟୁ ପ୍ରଦୂଷଣ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି । ଏନେଇ ଜନସାଧାରଣ ମଧ୍ୟ ସଚେତନ ରହିବାର ଆବଶ୍ୟକତା ରହିଛି ।